ଦକ୍ଷିଣ ଚୀନ୍‌ ସାଗର ବିବାଦ: ଆମେରିକା-ଚୀନ୍‌ ମୁହାଁମୁହିଁ

ଆମେରିକାର ଯୁଦ୍ଧପୋତ ମୁତୟନ, ଚୀନ୍‌ ଉଡ଼ାଇଲା ବୋମାବର୍ଷୀ ବିମାନ

ବେଜିଂ: ଦକ୍ଷିଣ ଚୀନ ସାଗରର ବିବାଦୀୟ ଜଳରାଶିରେ ଆମେରିକାର ଯୁଦ୍ଧପୋତ ପହଞ୍ଚି ଥିବାରୁ ଏହାକୁ ନେଇ ପୁଣିଥରେ ଆମେରିକା ଓ ଚୀନ୍‌ ମୁହାଁମୁହିଁ ହୋଇଛନ୍ତି। ଆମେରିକା ଯୁଦ୍ଧପୋତର ପ୍ରଭାବକୁ ଗୌଣ କରିବାକୁ ଚୀନ୍‌ ତା’ର ମହାଶକ୍ତିଶାଳୀ ବୋମାବର୍ଷୀ ବିମାନ ଉଡ଼ାଇଛି। ଚୀନ୍‌ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ଆମେରିକା ଉଦ୍ଦେଶ୍ୟମୂଳକ ଭାବେ ଉତ୍ତେଜନା ବଢ଼ାଉଛି ଏବଂ ଆମେ ଏହାକୁ ବରଦାସ୍ତ କରିବୁ ନାହିଁ । ଗୋଟିଏ ପଟେ ଉତ୍ତରକୋରିଆ ସହ ଆମେରିକାର ଭୟଙ୍କର ଉତ୍ତେଜନାକୁ ହ୍ରାସ କରିବା ଦିଗରେ ଚୀନ୍‌ ପ୍ରୟାସ କରୁଥିବା ବେଳେ ଅନ୍ୟପଟେ ଆମେରିକା ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନେଇ ଅସ୍ଥିରତା ବଢ଼ାଉଛି ବୋଲି ଚୀନ୍‌ କହିଛି। ଉତ୍ତର କୋରିଆ ମାମଲାରେ ଚୀନ୍‌ର ଆଧିପତ୍ୟ ବିସ୍ତାରକୁ ଆମେରିକା ବିରୋଧ କରୁଥିବା ବେଳେ ଦକ୍ଷିଣ ଚୀନ ସାଗରରେ ନିଜର ଯୁଦ୍ଧ ଜାହାଜ ପହଞ୍ଚାଇ ଚୀନ୍‌ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି ବୋଲି କୂଟନୈତିକ ମହଲରେ ମତପ୍ରକାଶ ପାଇଛି । ଦକ୍ଷିଣ ଚୀନ ସାଗରରେ ଆମେରିକା ନେତୃତ୍ୱରେ ହୋଇଥିବା ସମରାଭ୍ୟାସରେ ଚୀନ୍‌କୁ ନିମନ୍ତ୍ରଣ କରାଯାଇ ନଥିଲା। ଏହାକୁ ନେଇ ଚୀନ୍‌ ପୂର୍ବରୁ ହିଁ କ୍ଷୁବ୍ଧ ରହିଛି। ଉଲ୍ଳେଖଯୋଗ୍ୟ, ଏହି ବିବାଦୀୟ ଜଳ ରାଶିରେ ଚୀନ, ତାଇଓ୍ଵାନ, ମାଲେସିଆ, ବ୍ରୁନୋଇ, ଫିଲିପାଇନ୍ସ ଓ ଭିଏତନାମ ନିଜର ଅସ୍ତିତ୍ୱ ଜାହିର କରିଆସୁଛନ୍ତି। ତେବେ ଆମେରିକା ଚୀନ୍‌ର ଏକଚାଟିଆ ନୀତି ବିରୋଧରେ ଦକ୍ଷିଣ ଚୀନ୍‌ ସାଗରରେ ନିଜର ଶକ୍ତି ପ୍ରଦର୍ଶନ ଆରମ୍ଭ କରିଥିବାରୁ ଏହାକୁ ନେଇ ଉତ୍ତେଜନା ବଢ଼ୁଛି। ମିଳିଥିବା ଖବର ମୁତାବକ, ଆମେରିକାର କ୍ଷେପଣାସ୍ତ୍ର ବିଧ୍ୱଂସକାରୀ କ୍ରୁଜର୍‌ ଯୁଦ୍ଧପୋତକୁ ଦକ୍ଷିଣ ଚୀନ ସାଗରର ପାର୍ସଲ ଦ୍ୱୀପଠାରୁ ମାତ୍ର ୧୨ ନଟିକାଲ୍‌ ମାଇଲ ଅଞ୍ଚଳରେ ରଖାଯାଇଛି। ନିକଟରେ ଆମେରିକା ନୌସେନା ପକ୍ଷରୁ ପାର୍ସଲ ଦ୍ୱୀପର ଟ୍ରି ଲିଙ୍କନ, ଟ୍ରିଟନ ଓ ବୁଡି ଦ୍ୱୀପରେ ଏହାର ସମରାଭ୍ୟାସ କରାଯାଉଥିବା ବେଳେ ଏବେ ନିୟମିତ ଭାବେ ଆମେରିକା ଏହି ଅଞ୍ଚଳରେ ନିଜର ଯୁଦ୍ଧପୋତ ମୁତୟନ କରୁଛି। ବାଣିଜ୍ୟ କାରବାରକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ହୋଇଥିବା ବିବାଦ ଥମି ନଥିବା ବେଳେ ଏବେ ଦକ୍ଷିଣ ଚୀନ ସାଗରରେ ଆମେରିକା ଏଭଳି ଷଡ଼ଯନ୍ତ୍ର କରିଥିବା ଚୀନ କହିଛି। ତେବେ ଆମେରିକାର ସେନା ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ମୁତୟନ ହୋଇଥିବା ବେଳେ ଏଭଳି ସମରାଭ୍ୟାସ ଆମେରିକା ପାଇଁ ଏକ ସାଧାରଣ କଥା ହୋଇଥିବାରୁ ଏଥିରେ କୌଣସି କୂଟନୈତିକ ଉଦ୍ଦେଶ୍ୟ ନଥିବା କୁହାଯାଇଛି। ତେବେ ଆମେରିକାର ଏଭଳି ଯୋଜନାକୁ ମାତ୍‌ ଦେବା ପାଇଁ ଚୀନ ମଧ୍ୟ ସମସ୍ତ ପ୍ରସ୍ତୁତି କରିଛି। ଗତ ୧୨ ତାରିଖରେ ପ୍ରସାରିତ ହୋଇଥିବା ସାଟେଲାଇଟ ଚିତ୍ର ମୁତାବକ, ବୁଡ଼ା ଦ୍ୱୀପରେ ଚୀନ ସ୍ଥଳରୁ ଆକାଶକୁ ଉତ୍‌କ୍ଷେପଣ କରାଯାଇପାରୁଥିବା ଆଣ୍ଟି-ସିପ୍‌ କ୍ରୁଜ କ୍ଷେପଣାସ୍ତ୍ର ମୁତୟନ କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର