ଦକ୍ଷିଣ କୋରିଆ: ଆଠ ତାଲା କୋଠାରେ ନିଅାଁ ଲାଗି ୨୯ ମୃତ, ୨୯ ଆହତ

ନୂଆଦିଲ୍ଲୀ: ଗୁରୁବାର ଦିନ କେନ୍ଦ୍ରୀୟ କୋରିଆର ଜୁସନ୍‌ ସହରରେ ଗୋଟିଏ ଆଠ ତାଲା କୋଠାଘରେ ନିଅାଁ ଲାଗିଯିବାରୁ ୨୯ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହେବା ସହ ଅନ୍ୟ ୨୯ ଜଣ ବ୍ୟକ୍ତି ଆହତ ହୋଇଥିବା କଥା ଅଧିକାରୀମାନଙ୍କ ଠାରୁ ପ୍ରକାଶ।

ଜୁସନ୍‌ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ନିଅାଁ ଲିଭା ଯିବା ପରେ ଉଦ୍ଧାରକାରୀମାନେ କୋଠରେ ତଲାସ ଜାରି ରଖିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ।

ଅଗ୍ନିକାଣ୍ଡ ଯୋଗୁଁ ମରିଥିବା ଅନେକ ଲୋକ ସେତେବେଳେ ଦ୍ୱିତୀୟ ଏବଂ ତୃତୀୟ ତାଲାରେ ଥିବା ସର୍ବସାଧାରଣ ସ୍ନାନାଗାରରେ ଥିଲେ। ସେଠାରୁ ବାହାରି ଆସିବା ସେମାନଙ୍କ ପାଇଁ କଷ୍ଟକର ହୋଇ ପଡ଼ିଥିଲା।

Image Courtesy of India Today

ପାୟୋଙ୍ଗ୍‌ଚାଙ୍ଗ୍‌ ଉଇଣ୍ଟର୍‌ ଅଲିମ୍ପିକ୍‌ର ଆୟୋଜକମାନେ କହିଛନ୍ତି ଯେ ଶୁକ୍ରବାର ଦିନ ଜୁସନ୍‌ ବାଟ ଦେଇ ଅଲିମ୍ପିକ୍‌ ମଶାଲ ରିଲେ ଯିବାକୁ ନିର୍ଦ୍ଧାରିତ ହୋଇଥିଲା, କିନ୍ତୁ ଏହି ଅଘଟଣ ଯୋଗୁଁ ମଶାଲ ଶୋଭାଯାତ୍ରାରର ପଥ ପରିବର୍ତ୍ତନ କରାଯାଇଛି।

ଟ୍ରକ୍‌ ଏବଂ ହେଲିକାପ୍ଟର୍‌ ଯୋଗେ ନିଅାଁଲିଭାଳିମାନେ ନିଅାଁ ଲିଭାଉ ଥିବାର ଦୃଶ୍ୟ ସେଠାକାର ସ୍ଥାନୀୟ ଗଣମାଧ୍ୟମଗୁଡ଼ିକ ପ୍ରସାରଣ କରୁଛନ୍ତି। ତଳେ ଗୋଟାଏ ମ୍ୟାଟ୍ରେସ୍‌ ଧରି କେତେକ ନିଅାଁ ଲିଭାଳି ଠିଆ ହୋଇଥିବାବେଳେ ଜଣେ ବ୍ୟକ୍ତି ଜଳନ୍ତା ଘରର ଝରକା ଦେଇ ତା’ ଉପରକୁ କୁଦା ମାରୁଥିବା ଭଳି ଦୃଶ୍ୟ ମଧ୍ୟ ପ୍ରସାରିତ ହୋଇଛି।

ନିଅାଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ କୋଠାର ପାର୍କିଂସ୍ଥଳରୁ ନିଅାଁ ଲାଗିଥିବା କଥା ଅଗ୍ନିଶମ ସେବା ଅଧିକାରୀମାନେ କହୁଛନ୍ତି। ସେ କୋଠାରେ କେତେକ ରେସ୍ତୋରାଁ, ଜିମ୍‌, ସର୍ବସାଧାରଣ ସ୍ନାନାଗାର, ଇଣ୍ଡୋର୍‌ ଗଲ୍‌ଫ୍‌ ଆଦି ସଂସ୍ଥାନ ରହିଥିଲା।

ସମ୍ବନ୍ଧିତ ଖବର