ଚୀନ, ଉତ୍ତର-କୋରିଆର ମୁକାବିଲା ପାଇଁ ହାଇପରସୋନିକ ମିସାଇଲର ପରୀକ୍ଷଣ କଲା ଦକ୍ଷିଣ-କୋରିଆ

ସିଓଲ : ଆମେରିକା,ଚୀନ, ଋଷିଆ ପରେ ଏବେ ଦକ୍ଷିଣ-କୋରିଆ ମଧ୍ୟ ହାଇପରସୋନିକ ମିସାଇଲ ଦୌଡ଼ରେ ଯୋଗ ଦେଇଛି । ଦକ୍ଷିଣ-କୋରିଆ ପକ୍ଷରୁ ବୁଧବାର ଦିନ ହ୍ବାସଙ୍ଗ-୮ ନାମକ ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିବା ଘୋଷଣା କରାଯାଇଛି । ଦକ୍ଷିଣ-କୋରିଆର ସରକାରୀ ଗଣମାଧ୍ୟମ ରୋଡୋଙ୍ଗ୍ ସିନମୁନରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ବୁଧବାରଦିନ ଆକାଡେମୀ ଅଫ ଡିଫେନ୍ସ ସାଇନ୍ସ ପକ୍ଷରୁ ଦକ୍ଷିଣ ଚୀନ ସାଗରରେ ଏହି ହାଇପରସୋନିକ ମିସାଇଲର ସଫଳ ପରୀକ୍ଷଣ କରାଯାଇଥିଲା ।

ଦକ୍ଷିଣ-କୋରିଆ ଉଭୟ ଚୀନ ଓ ଉତ୍ତରକୋରିଆ ଆଡ଼ୁ ବିପଦର ଆଶଙ୍କା କରୁଛି । ସେଥିପାଇଁ ଏହି ଏସୀୟ ଦେଶ ନିଜ ସୁରକ୍ଷା ପାଇଁ କେବଳ ଆମେରିକା ଉପରେ ନିର୍ଭର କରିବାକୁ ଚାହୁଁନାହିଁ । ଏଣୁ ଦେଶର ଷ୍ଟ୍ରାଟର୍ଜିକ ଫୋର୍ସକୁ ଆହୁରି ବିକଶିତ କରୁଛି । ଏକ ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ କୋରିଆ ନିଜ ପ୍ରତିରକ୍ଷା ବାହିନୀକୁ ଆହୁରି ଶକ୍ତିଶାଳୀ କରିବାକୁ ଉଦ୍ୟମ କରୁଛି ।

ହାଇପରସୋନିକ କ୍ଷେପଣାସ୍ତ୍ରଗୁଡ଼ିକ ଶବ୍ଦର ବେଗର ପାଞ୍ଚଗୁଣ ବେଗରେ ଗତି କରିପାରିବ । ଏହାକୁ ବିଶ୍ବର ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମଗୁଡ଼ିକୁ ମଧ୍ୟ ଭେଦ କରିବାକୁ ସକ୍ଷମ ବୋଲି କୁହାଯାଉଛି । ଗତ ବର୍ଷ ଅଗଷ୍ଟ ମାସରେ ଚୀନ ଦ୍ବାରା ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯିବା ପରେ ବିଶ୍ବରେ ଏକ ନୂଆ ପ୍ରକାରର ଅସ୍ତ୍ର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଦୁଇ ମହାଶକ୍ତି ଆମେରିକା ଓ ଋଷିଆ ପୂର୍ବରୁ ହିଁ ଯୋଗ ଦେଇସାରିଛନ୍ତି । ଇତି ମଧ୍ୟରେ ଆମେରିକା ମଧ୍ୟ ନିଜର ହାଇପରସୋନିକ କ୍ଷେପଣାସ୍ତ୍ରର ପରୀକ୍ଷଣ କରିସାରିଛି । ଏବେ ଦକ୍ଷିଣ କରିଆ ମଧ୍ୟ ଏହି ମିସାଇଲର ପରୀକ୍ଷଣ କରି ଏହି ପ୍ରତିଯୋଗିତାରେ ଯୋଗ ଦେଇଛି । ଅନ୍ୟପକ୍ଷରେ ଆସନ୍ତା ୨୦୨୫ ସୁଦ୍ଧା ହାଇପରସୋନିକ ମିସାଇଲ ଟେକନଲୋଜୀ ହାସଲ ପାଇଁ ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର