‘ବେଲୁନ୍ ପ୍ରତିବାଦ’ କଥାରେ କିମ୍ ‌‌ଜଙ୍ଗ୍‌-ଉନ୍‌ଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍‌ଙ୍କ ଧମକ ଆଗରେ ମୁଣ୍ଡ ନୁଆଇଁଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ: ସୀମାନ୍ତରେ ବେଲୁନ୍ ଦ୍ବାରା ଉତ୍ତରକୋରିଆ ବିରୋଧୀ ପ୍ରଚାରପତ୍ର ଉଡ଼ାଇଥିବା ସାମାଜିକ କର୍ମୀଙ୍କ ପ୍ରତି କିମ୍ ଜଙ୍ଗ୍‌-ଉନ୍‌ଙ୍କ ଭଉଣୀ ଦେଇଥିବା ଧମକ ଆଗରେ ଦକ୍ଷିଣ କୋରିଆ ମୁଣ୍ଡ ନୁଆଇଁଛି। ଦକ୍ଷିଣ କୋରିଆ କହିଛି ଯେ ଏଭଳି ପ୍ରତିବାଦକୁ ନିଷେଧ କରିବାକୁ ନୂତନ ଆଇନ ପ୍ରଣୟନ କରାଯିବ। ଦୁଇ ଦେଶ ମଧ୍ୟରେ ଦୁର୍ବଳ ହୋଇଚାଲିଥିବା କୂଟନୈତିକ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଦକ୍ଷିଣ କୋରିଆ ପାରୁପର୍ଯ୍ୟନ୍ତ ଉଦ୍ୟମ କରୁଛି ବୋଲି ସମ୍ବାଦପତ୍ର ‘ଦ ଡେଲି ମେଲ୍’ ରିପୋର୍ଟ କରିଛି।

ସାମାଜିକ କର୍ମୀ ଏବଂ ଦେଶତ୍ୟାଗୀ ବିଦ୍ରୋହୀମାନେ ବେଲୁନ୍ ଯୋଗେ ଉତ୍ତର କୋରିଆ ମଧ୍ୟକୁ ପ୍ରଚାରପତ୍ର ଛାଡ଼ନ୍ତି। ସେଥିରେ କିମ୍‌ଙ୍କ ଆଣବିକ ଉଚ୍ଚାକାଙ୍‌କ୍ଷା ଏବଂ ମାନବିକ ଅଧିକାର କ୍ଷୁଣ୍ଣ ପ୍ରସଙ୍ଗକୁ ସମାଲୋଚନା କରନ୍ତି।

ତେଣୁ, ସୀମାନ୍ତରେ ଯେଉଁ ସାମାଜିକ କର୍ମୀମାନେ ଉତ୍ତର କୋରିଆ ବିରୋଧୀ ପ୍ରଚାରପତ୍ର ଉଡ଼ାଇଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍ତର କୋରିଆର ନେତା କିମ୍-ଉନ୍‌ଙ୍କ ଭଉଣୀ କିମ୍ ୟୋ-ଜଙ୍ଗ୍‌ ଦକ୍ଷିଣ କୋରିଆକୁ ଧମକ ଦେଇଛନ୍ତି।

Photograph Courtesy of Arab News

ରାଷ୍ଟ୍ରାୟତ ଗଣମାଧ୍ୟମ ଜରିଆରେ ପ୍ରକାଶିତ ଏକ ବିବୃତିରେ କିମ୍ ୟୋ-ଜଙ୍ଗ୍‌ ଏହି ଦେଶତ୍ୟାଗୀ ବିଦ୍ରୋହୀମାନଙ୍କୁ ମାତୃଭୂମୀ ପ୍ରତି ବିଶ୍ବାସଘାତ କରିଥିବା ‘ମଙ୍ଗ୍ରେଲ୍ ଶ୍ବାନ’ ବୋଲି କହିଛନ୍ତି। ସିଓଲ ସରକାରଙ୍କ ପ୍ରତି ଆକ୍ଷେପ କରି ସେ ଆହୁରି କହିଛନ୍ତି ଯେ ଏହି ‘ମଙ୍ଗ୍ରେଲ୍ ଶ୍ବାନ’ମାନଙ୍କର ମାଲିକଙ୍କୁ ମୁକାବିଲା କରିବାର ସମୟ ଆସିଯାଇଛି।

ଦୁଇ କୋରିଆର ପୁନର୍ମିଳନର ପ୍ରମୁଖ ସଙ୍କେତ ହୋଇଥିବା ଲିଆଇସନ୍ ଅଫିସ୍ ଏବଂ କାରଖାନାସ୍ଥଳ ବନ୍ଦ କରିବା ସହ ଉତ୍ତର କୋରିଆ ସାମରିକ ଚୁକ୍ତି ରଦ୍ଦ କରିଦେବ ବୋଲି ସେ ଧମକ ଦେଇଛନ୍ତି।

ଏଥିରେ ପ୍ରତିକ୍ରିୟା ପ୍ରକାଶ କରି ସିଓଲ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ଉଡ଼ାଯାଇଥିବା ବେଲୁନ୍ କେବଳ କ୍ଷତି କରୁଛି, କିଛି ଲାଭ କରୁନାହିଁ। ନିରାପତ୍ତା ବିପନ୍ନ କରୁଥିବା କାର୍ଯ୍ୟକଳାପ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

ସମ୍ବନ୍ଧିତ ଖବର