ନୂଆଦିଲ୍ଲୀ: ପାଞ୍ଚ ବର୍ଷର ବ୍ୟବଧାନ ପରେ ସିକ୍କିମର ନାଥୁଲା ଗିରିପଥ ଦେଇ କୈଳାସ ମାନସରୋବର ଯାତ୍ରା ପୁଣି ଥରେ ଆରମ୍ଭ ହୋଇଛି ।
୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଗଲଓ୍ବାନ ସଂଘର୍ଷ ପରେ କୈଳାସ ମାନସରୋବର ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଉଭୟ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆସିବା ପରେ ଗତ ଜାନୁଆରି ମାସରେ ପୁଣି କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଓ ଚୀନ ରାଜି ହୋଇଥିଲେ।
ଗତଶୁକ୍ରବାର କୈଳାସ ମାନସରୋବର ଯାତ୍ରାରୁ ଫେରିଥିବା ପ୍ରଥମ ଦଳ ସୂଚନା ଦେଇ କହିଛନ୍ତି, ‘ଚଳିତବର୍ଷ କୈଳାସ ପର୍ବତର ଦକ୍ଷିଣ ଭାଗରେ ତୁଷାରପାତ ହୋଇନାହିଁ। ଏହି ସୂଚନା ନିଶ୍ଚିତ ଭାବେ ବଡ଼ ଚିନ୍ତାର କାରଣ ପାଲଟିଛି।
ଯାତ୍ରା ଦଳର ଏଲଓ ଏବଂ ଆଇଟିବିପିର ଏଡିଜି ସଞ୍ଜୟ ଗୁଞ୍ଜ୍ୟାଲ ମଧ୍ୟ ପାଞ୍ଚ ବର୍ଷ ମଧ୍ୟରେ କୈଳାସ ମାନସରୋବରର ହୋଇଥିବା ପରିବର୍ତ୍ତନକୁ ନେଇ ଚିନ୍ତା ପ୍ରକାଶ କରି କହିଛନ୍ତି, ‘ମୁଁ ୨୦୧୬ ମସିହାରେ ମଧ୍ୟ କୈଳାସ ମାନସରୋବର ପରିଦର୍ଶନ କରିଥିଲି। ସେତେବେଳେ ଦକ୍ଷିଣ ଅଞ୍ଚଳରେ ଅଧିକ ତୁଷାରପାତ ଦେଖାଯାଇଥିଲା, କିନ୍ତୁ ଏଥର ତୁଷାରପାତ ବହୁତ କମ୍ ରହିଛି।’
ଇତିମଧ୍ୟରେ ପିଥୋରାଗଡ଼ରୁ ପାଞ୍ଚ ବର୍ଷ ପରେ ଆରମ୍ଭ ହୋଇଥିବା କୈଳାସ ମାନସରୋବର ଯାତ୍ରାର ପ୍ରଥମ ୪୫ ଜଣିଆ ଦଳ ଭାରତକୁ ଫେରି ଆସିଛି। ଜୟପୁରର ବାସିନ୍ଦା ରାଜେଶ ନାଗପାଲ କହିଛନ୍ତି,‘ ଯେ କୈଳାସ ପର୍ବତର ଦକ୍ଷିଣ ଭାଗରେ ତୁଷାରପାତ ହୋଇନାହିଁ। ବାକି ଅଂଶରେ ମଧ୍ୟ ତୁଷାରପାତ ହ୍ରାସ ପାଇଛି।’
ବିଶେଷଜ୍ଞଙ୍କ ଅନୁଯାୟୀ, କୈଳାସ ପର୍ବତର ଉଚ୍ଚତା ୨୧୭୭୮ ଫୁଟ ଏବଂ ସାଧାରଣତଃ ଏଠାରେ ସାରା ବର୍ଷ ତୁଷାରପାତ ଜାରି ରହିଥାଏ। ଶିଖରର ଦକ୍ଷିଣ ଅଂଶରୁ ତୁଷାରପାତ ହେବା ସ୍ୱାଭାବିକ ନୁହେଁ। କୈଳାସ ପର୍ବତରେ ସ୍ଥାୟୀ ତୁଷାରପାତ ରେଖା ପ୍ରାୟ ୧୮,୦୦୦ ଫୁଟ ଉପରେ ବୋଲି ବିବେଚନା କରାଯାଏ। ଏହି ଉଚ୍ଚତା ଉପରେ ଥିବା ସମଗ୍ର ଶିଖର ଗ୍ରୀଷ୍ମ ଋତୁରେ ମଧ୍ୟ ତୁଷାରରେ ଆଚ୍ଛାଦିତ ରହିଥାଏ। ଶୀତଦିନେ, ତୁଷାରପାତର ଘନତା ପ୍ରାୟ ୧୫,୦୦୦ ଫୁଟ ପର୍ଯ୍ୟନ୍ତ ବ୍ୟାପିଥାଏ।’