ନୂଆଦିଲ୍ଲୀ: ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କ ନିର୍ବାଚନମଣ୍ଡଳୀଗୁଡ଼ିକର ପୁନଃ ସୀମାନିର୍ଦ୍ଧାରଣକୁ ଘୋର ବିରୋଧ କରୁଛନ୍ତି। ସେମାନେ ଆଶଙ୍କା କରୁଛନ୍ତି ଯେ ଉତ୍ତର ଭାରତର ରାଜ୍ୟଗୁଡ଼ିକର ଜନସଂଖ୍ୟା ଅଧିକ ବୃଦ୍ଧି ପାଇଥିବାରୁ ସେମାନଙ୍କ ସଂଖ୍ୟା ନାଟକୀୟ ଭାବେ ବୃଦ୍ଧି ପାଇବ ଏବଂ ଦକ୍ଷିଣ ରାଜ୍ୟର ଆସନ ସଂଖ୍ୟା ସେହି ତୁଳନାରେ ହ୍ରାସ ପାଇବ। ଏହି ରାଜ୍ୟଗୁଡ଼ିକ ଆଉ ଏକ ପ୍ରକାର ଉତ୍ତର ଭାରତୀୟ ଆଧିପତ୍ୟକୁ ନେଇ ଭୟଭୀତ ଅଛନ୍ତି।

Advertisment

ସୀମା ନିର୍ଦ୍ଧାରଣ କ’ଣ?
ଜନସଂଖ୍ୟା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ପୁନଃନିର୍ଦ୍ଧାରଣ କରାଯାଏ। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କେତେ ଆସନ ସଂରକ୍ଷିତ ରହିବ ତାହା ମଧ୍ୟ ସେମାନଙ୍କ ସଂଖ୍ୟା ଭିତ୍ତିରେ ସ୍ଥିର ହୋଇଥାଏ। ଧାରା ୮୦ ଓ ୧୭୦ ଅନୁଯାୟୀ ପ୍ରତ୍ୟେକ ଜନଗଣନା ପରେ ସୀମା ନିର୍ଦ୍ଧାରଣ କରାଯିବା କଥା। ସଂସଦରେ ଗୃହୀତ ଆଇନ ଜରିଆରେ ଗଠିତ ସୀମା ନିର୍ଦ୍ଧାରଣ ଆୟୋଗ ଏହି କାର୍ଯ୍ୟ କରିବା ଉଚିତ। ୧୯୫୧, ୧୯୬୧ ଓ ୧୯୭୧ରେ ସୀମା ନିର୍ଦ୍ଧାରଣ କରାଯାଇଥିଲା, ଯେତେବେଳେ ଜନସଂଖ୍ୟା ୩୬.୧ କୋଟିରୁ ୪୩.୯ କୋଟି ଓ ୫୪.୮ କୋଟିକୁ ବୃଦ୍ଧି ପାଇଥିଲା। ଫଳରେ ସିଟ୍ ସଂଖ୍ୟା ୪୯୪ରୁ ୫୨୨ ଓ ୫୪୩କୁ ବୃଦ୍ଧି କରାଯାଇଥିଲା।

୨୦୨୬ ପର୍ଯ୍ୟନ୍ତ ସ୍ଥଗିତ ହେଲା ସୀମା ନିର୍ଦ୍ଧାରଣ
 ୧୯୭୬ ମସିହାରେ ଯେତେବେଳେ ପରିବାର ନିୟୋଜନ ଅଭିଯାନ ଚରମ ସୀମାରେ ଥିଲା, ସେତେବେଳେ ଜନ୍ମ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରିବା ଏବଂ ଅଧିକ ଜନସଂଖ୍ୟା ଥିବା ରାଜ୍ୟଗୁଡ଼ିକ ଯେପରି ଜନସଂଖ୍ୟା ନିୟନ୍ତ୍ରଣ କରିଥିବା ରାଜ୍ୟଗୁଡ଼ିକ ତୁଳନାରେ ଫାଇଦା ନ ପାଇବେ ସେଥିପାଇଁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ୨୫ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ୪୨ତମ ସମ୍ବିଧାନ ସଂଶୋଧନ ପ୍ରଚଳନ କରି କରାଯାଇଥିଲା, ଯାହା ୨୦୦୦ ପର୍ଯ୍ୟନ୍ତ ରହିଥିଲା। ୨୦୦୧ ମସିହାରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଆଉ ୨୫ ବର୍ଷ ପାଇଁ ସ୍ଥଗିତ ରଖିବାକୁ ୮୪ତମ ସଂଶୋଧନ ଗୃହୀତ ହୋଇଥିଲା। ୨୦୨୬ରେ ଏହା ଶେଷ ହେବ। ଦେଶର ଜନସଂଖ୍ୟା ୧୪୧ ବିଲିୟନକୁ ବୃଦ୍ଧି ପାଇଛି, ତେଣୁ ଲୋକସଭାରେ ଆସନ ସଂଖ୍ୟା ୭୫୩କୁ ବୃଦ୍ଧି ହେବା ଦରକାର।

ଦକ୍ଷିଣ ରାଜ୍ୟଗୁଡ଼ିକ କାହିଁକି ଅସନ୍ତୁଷ୍ଟ?
ବର୍ତ୍ତମାନ ଦକ୍ଷିଣ ରାଜ୍ୟଗୁଡ଼ିକରୁ ଲୋକସଭାରେ ଆସନ ସଂଖ୍ୟା ୧୨୯, ଯାହା ମୋଟ ସଂଖ୍ୟା ୫୪୩ର ପ୍ରାୟ ୨୪%। ଏଥିରେ ତେଲେଙ୍ଗାନାର ୧୭, ଆନ୍ଧ୍ରପ୍ରଦେଶର ୨୫, କେରଳର ୨୦, ତାମିଲନାଡୁର ୩୯ ଓ କର୍ଣ୍ଣାଟକର ୨୮ଟି ଆସନ ରହିଛି। ଯଦି ୨୦ ଲକ୍ଷ ଜନସଂଖ୍ୟା ପାଇଁ ଗୋଟିଏ ଲୋକସଭା ଆସନର ଫର୍ମୁଲା କାର୍ଯ୍ୟକାରୀ ହୁଏ, ତେବେ ଦକ୍ଷିଣ ରାଜ୍ୟଗୁଡ଼ିକର ଅଂଶ ହେବ- ତେଲେଙ୍ଗାନାର ୨୦, ଆନ୍ଧ୍ରପ୍ରଦେଶର ୨୮, କେରଳର ୧୯, ତାମିଲନାଡୁର ୪୧ ଓ କର୍ଣ୍ଣାଟକର ୩୬- ମୋଟ ୧୪୪। ୭୫୩ ଆସନବିଶିଷ୍ଟ ଗୃହରେ ଦକ୍ଷିଣ ରାଜ୍ୟଗୁଡ଼ିକର ମୋଟ ଆସନ ସଂଖ୍ୟା ୧୪୪ ବା ପ୍ରାୟ ୧୯% ରହିବ, ଯାହା କି ବର୍ତ୍ତମାନର ୨୪%ରୁ ୫% ହ୍ରାସ ପାଇବ।

ସୀମା ନିର୍ଦ୍ଧାରଣ ଉତ୍ତର-ଦକ୍ଷିଣ ବିଭାଜନକୁ ବ୍ୟାପକ କରିବ କି?
ଅନ୍ୟପକ୍ଷରେ ୟୁପି, ବିହାର ଓ ମଧ୍ୟପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟରୁ ସିଟ୍ ସଂଖ୍ୟା ବଢ଼ିବ। ୟୁପିର ଅଂଶ ୮୦ରୁ ୧୨୮କୁ ବୃଦ୍ଧି ପାଇପାରେ, ବିହାରର ଅଂଶ ୪୦ରୁ ୭୦ ଓ ମଧ୍ୟପ୍ରଦେଶର ଅଂଶ ୨୯ରୁ ୪୭କୁ ବୃଦ୍ଧି ପାଇପାରେ। ସେହିପରି ମହାରାଷ୍ଟ୍ରର ଭାଗ ୪୮ରୁ ୬୮କୁ ବୃଦ୍ଧି ପାଇବ ଏବଂ ରାଜସ୍ଥାନର ଭାଗ ୨୫ରୁ ୪୪କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ଦକ୍ଷିଣ ରାଜ୍ୟର ବିଦ୍ରୋହ
ଏହି କାରଣରୁ ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ବିରୋଧରେ ଦକ୍ଷିଣ ରାଜ୍ୟମାନେ ଅଣ୍ଟା ଭିଡ଼ିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କହିଛନ୍ତି, ଏହା ସ୍ପଷ୍ଟ ଯେ ଯଦି ସଦ୍ୟତମ ଜନସଂଖ୍ୟା ଅନୁପାତ ଆଧାରରେ ସୀମା ନିର୍ଦ୍ଧାରଣ କରାଯାଏ, ତେବେ ଏହା ଦକ୍ଷିଣ ରାଜ୍ୟଗୁଡ଼ିକ ପ୍ରତି ଘୋର ଅନ୍ୟାୟ ହେବ। ଏଭଳି ଅନ୍ୟାୟକୁ ରୋକିବା ପାଇଁ ସାମ୍ବିଧାନିକ ସଂଶୋଧନ ପରେ ୧୯୭୧ ଜନଗଣନାକୁ ଆଧାର ଭାବରେ ବ୍ୟବହାର କରି ପୂର୍ବ ସୀମା ନିର୍ଦ୍ଧାରଣ କରାଯାଇଥିଲା। ଦକ୍ଷିଣ ଭାରତର କୌଣସି ରାଜ୍ୟ ଆସନ ହରାଇବେ ନାହିଁ ବୋଲି ଅମିତ ଶାହଙ୍କ ପ୍ରତିଶ୍ରୁତିକୁ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହି ସେ ଅଭିଯୋଗ କରିଛନ୍ତି ଯେ ବିଜେପି ପ୍ରସ୍ତାବିତ ସୀମା ନିର୍ଦ୍ଧାରଣକୁ ଦକ୍ଷିଣ ରାଜ୍ୟଗୁଡ଼ିକୁ ଚୁପ୍ କରାଇବା ପାଇଁ ଅସ୍ତ୍ର ଭାବେ ବ୍ୟବହାର କରୁଛି। ଦକ୍ଷିଣ ରାଜ୍ୟଗୁଡ଼ିକ ସେମାନଙ୍କ ମତଭେଦ ଦୂର କରି ଏହି ପ୍ରସଙ୍ଗରେ ଏକଜୁଟ ହେବାକୁ ନିଷ୍ପତ୍ତି ନେଇଛନ୍ତି। ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ଆସନ୍ତା ୫ ତାରିଖରେ ଏ ନେଇ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି।