ନିୟମିତ ଲଘୁଚାପ ଯୋଗୁଁ ମାସେ ବିଳମ୍ବିତ ହେବ ମୌସୁମୀର ପ୍ରତ୍ୟାବର୍ତ୍ତନ

ଭୁବନେଶ୍ବର : ଚଳିତ ବର୍ଷ ସେପ୍ଟେମ୍ବର ମାସରେ ନିୟମିତ ବ୍ୟବଧାନରେ ଲଘୁଚାପ ସୃଷ୍ଟି ହେବା ଫଳରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହେବ । ସାଧାରଣତଃ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୁଏ । କିନ୍ତୁ ଏବର୍ଷ ତାହା ବିଳମ୍ବିତ ହେବ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି । ଆସନ୍ତା ୨୫ରୁ ମୌସୁମୀର ପ୍ରତ୍ୟାବର୍ତ୍ତନ ଆରମ୍ଭ ହେବ ବୋଲି କୁହାଯାଉଛି । କିନ୍ତୁ ପୁଣି ଲଘୁଚାପ ହେବା ପରେ ଏହା ଆହୁରି ବିଳମ୍ବ ହେବା ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ରହିଛି । ଏହି ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଏବେ ସକ୍ରିୟ ରହିଛି । ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।

ତେବେ ଆସନ୍ତା ୨୫ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସେପ୍ଟେମ୍ବର ୨୬ରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।

ସମ୍ବନ୍ଧିତ ଖବର