ଚେନ୍ନାଇ : ପ୍ରଖ୍ୟାତ କଣ୍ଠଶୀଳ୍ପି ସ୍ବର ସମ୍ରାଟ ଏସ୍ପି ବାଲ୍ସୁବ୍ରମଣ୍ୟମ୍ଙ୍କର ଆଜି ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହେବା ପରେ କୋମା ଅବସ୍ଥାକୁ ଚାଲି ଯାଇଥିବା ଏସ୍ପି ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲ୍ରେ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିଲେ। ଆଜି ଅପରାହ୍ନ ୧ଟା ୪ ମିନିଟ୍ରେ ସେ ଶେଷ ନିଶ୍ବାସ ତ୍ୟାଗ କରିବା ପରେ ସାରା ଦେଶର ସଂଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
କରୋନା ସଂକ୍ରମିତ ହୋଇ ଏସ୍ପି ଅଗଷ୍ଟ ୫ ତାରିଖରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ସେପ୍ଟେମ୍ବର ୮ରୁ ସେ କରୋନାମୁକ୍ତ ହୋଇସାରିଥିଲେ ମଧ୍ୟ ଫୁସ୍ଫୁସ୍ ସଂକ୍ରମଣ କାରଣରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ଶେଷରେ ତାଙ୍କ ମୃତ୍ୟୁ ସଂପର୍କରେ ପୁଅ ଏନ୍ପି ଚରଣ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ପ୍ରାୟ ୧୬ଟି ଭାରତୀୟ ଭାଷାରେ ୪୦ ହଜାର ଗୀତ ଗାଇଥିବା ଏହି କିଂବଦନ୍ତି ଗାୟକଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତୀୟ ସଙ୍ଗୀତ ଜଗତ ଜଣେ ଉଜ୍ଜ୍ବଳ ତାରକାଙ୍କୁ ହରାଇଲା ବୋଲି ରାଷ୍ଟ୍ରପତି କୋବିନ୍ଦ ଟ୍ବିଟ୍ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ତାଙ୍କ ଟ୍ବିଟ୍ କରି ଜଣାଇଛନ୍ତି ଯେ ଦେଶ ଜଣେ ମହାନ୍ କଣ୍ଠଶିଳ୍ପୀଙ୍କୁ ହରାଇଲା। ତାଙ୍କର ଶ୍ରୁତିମଧୁର କଣ୍ଠ ତାଙ୍କୁ ଲୋକପ୍ରିୟ କରିପାରିଥିଲା। ସେହିଭଳି ତାଙ୍କ ବିୟୋଗରେ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସ୍କର, ଯଶସ୍ବୀ ଅଭିନେତା କମଲ୍ ହାସନ, ସଙ୍ଗୀତ ନିର୍ଦ୍ଦେଶକ ଏ.ଆର୍. ରହମାନ୍ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ତତ୍କାଳୀନ ମାଡ୍ରାସ ପ୍ରେସିଡେନ୍ସି (ବର୍ତ୍ତମାନ ଆନ୍ଧ୍ର ପ୍ରଦେଶର ନେଲୋର ଜିଲ୍ଲା)ର କୋନେଟାମ୍ମାପେଟା ଗ୍ରାମରେ ଏସ୍ପି ୧୯୪୬ ମସିହା ଜୁନ୍ ୪ ତାରିଖରେ ଏକ ତେଲୁଗୁ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ଏସ୍ପି ଶାମ୍ବାମୂର୍ତି ହରିକଥାର ଜଣେ ଲୋକପ୍ରିୟ କଳାକାର ଥିଲେ। ତାଙ୍କ ମା’ ଶକୁନ୍ତଳାମ୍ମାଙ୍କର ଗତବର୍ଷ ଫେବ୍ରୁଆରି ୪ ତାରିଖରେ ପରଲୋକ ହୋଇଥିଲା।
ସେ ଅତି କମ୍ ବୟସରୁ ହିଁ ସଙ୍ଗୀତ ପ୍ରତି ତାଙ୍କ ଅହେତୁକ ରୁଚି ପ୍ରକାଶ କରିଥିଲେ। ଖୁବ୍ କମ୍ ବୟସରୁ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ଏହାପରେ ସେ ଅନନ୍ତପୁର ଜେଏନ୍ଟିୟୁ କଲେଜ ଅଫ୍ ଇଂଜିନିୟରିଂରେ ଇଂଜିନିୟରିଂ ଶିକ୍ଷା ଗ୍ରହଣ କରିଥିଲେ। କିନ୍ତୁ ଟାଇଫଏଡ୍ ଯୋଗୁଁ ଇଞ୍ଜିନିୟରିଂ ପାଠ ଅଧାରୁ ଛାଡ଼ିଥିଲେ। କିନ୍ତୁ ନିଜ ଇଂଜିନିୟରିଂ ପଢ଼ା ଭିତରେ ସେ ନିଜର ସଙ୍ଗୀତ ରୁଚିକୁ ଜାରି ରଖିଥିଲେ।
ସଙ୍ଗୀତ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଏସ୍ପି ଅନେକ ପୁରସ୍କାର ପାଇଛନ୍ତି। ୨୦୦୧ରେ ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’ ପ୍ରଦାନ କରିଥିବାବେଳେ ୨୦୧୧ରେ ସେ ‘ପଦ୍ମଭୂଷଣ’ ପୁରସ୍କାର ପାଇଥିଲେ। ସେହିଭଳି ୨୦୧୬ରେ ‘ଇଣ୍ଡିଆନ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର’ ପୁରସ୍କାର ଏବଂ ୨୦୧୨ରେ ଏନ୍ଟିଆର୍ ଜାତୀୟ ପୁରସ୍କାର ପାଇଥିଲେ। ସେ ବହୁବାର ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ। ଏହାବ୍ୟତୀତ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସରକାରଙ୍କ ପକ୍ଷରୁ ସେ ଅନେକ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି।
୧୯୭୯ରେ ତେଲୁଗୁ ଫିଲ୍ମ ‘ଶଙ୍କରଭରଣମ୍’, ୧୯୮୧ରେ ହିନ୍ଦୀ ଚଳଚ୍ଚିତ୍ର ‘ଏକ୍ ଦୁଜେ କେଲି ୟେ’, ୧୯୮୩ରେ ତେଲୁଗୁ ଚଳଚ୍ଚିତ୍ର ‘ସାଗର ସଙ୍ଗମ୍ମ’, ୧୯୮୮ରେ କନ୍ନଡ଼ ଫିଲ୍ମ ‘ସଙ୍ଗୀତ ସାଗର ଜ୍ଞାନଯୋଗୀ’ ଏବଂ ୧୯୯୬ରେ ତାମିଲ ଚଳଚ୍ଚିତ୍ର ‘ମିନ୍ସାରା କାନାଭୁ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏ.ଆର୍. ରହମାନ୍ଙ୍କ ପ୍ରଥମ ବଲିଉଡ ଫିଲ୍ମ ‘ରୋଜା’ରେ କଣ୍ଠଦାନ କରି ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ତେବେ ୧୯୮୯ରେ ସେ ‘ମୈନେ ପ୍ୟାର୍ କିୟା’ ପାଇଁ ବହୁ ଲୋକପ୍ରିୟ ଗୀତ ଗାଇ ଫିଲ୍ମଫେୟାର ପୁରସ୍କାର ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/SP-Balasubrahmanyamjpg.jpg)