ପ୍ରୟାଗରାଜ : ପ୍ରୟାଗରାଜରେ ଉମେଶ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଦାକତ ଖାନ୍‌କୁ ନେଇ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମଧ୍ୟରେ ଏକ ଫଟୋ-ଯୁଦ୍ଧ ଆରମ୍ଭ ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ସଦାକତ ଖାନଙ୍କର ଏକ ତାରିଖବିହୀନ ଫଟୋକୁ ବିଜେପି ବାଲା ଟ୍ବିଟରରେ ସେୟାର କରିଥିବା ବେଳେ ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଏକ ପାଲଟା ଫଟୋ ସେୟାର କରାଯାଇଛି, ଯେଉଁଥିରେ ସଦାକତ୍ ଖାନଙ୍କ ସହ ବିଜେପି ବିଧାୟକ ନୀଲମ କରୱାରିଆଙ୍କ ସ୍ବାମୀ ଉଦୟଭାନ କରୱାରିଆଙ୍କୁ ଦେଖିବାକୁ ମିଳୁଛି।

Advertisment

ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ସାମାଜବାଦୀ ପାର୍ଟିକୁ ‘ଅପରାଧୀଙ୍କ ପାଳନକେନ୍ଦ୍ର’ ବୋଲି ଅଭିହିତ କରିବା ସହ ଅପରାଧ ପ୍ରତି ଶୂନ୍ୟ-ସହନଶୀଳତା ନୀତି ସରକାର ଗ୍ରହଣ କରୁଛନ୍ତି ବୋଲି କହିଛନ୍ତି। ବିଜେପି ବିଧାୟକ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି ଯେ ସମାଜବାଦୀ ପାର୍ଟି ସଦାକତ ଖାନ ପରି ଲୋକକୁ ସୁରକ୍ଷା ଦେଉଛି। ସେମାନେ ଏହିପରି କେତେ ଅପରାଧୀଙ୍କୁ ପୋଷିଛନ୍ତି ତାହା ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ଅପରପକ୍ଷେ ଅଖିଳେଶ ଯାଦବ କହିଛନ୍ତି ଯେ, ଯେ କେହି ଲୋକ ଆସି ତାଙ୍କ ସହ ଫଟୋ ଉଠେଇ ନେଇଯାଇ ପାରେ। କାହାକୁ ସେ ବାରଣ କରିବେ? ସମାଜବାଦୀ ପାର୍ଟିର ଆମିକ ଜାମେଇ ମଧ୍ୟ ସଦାକତଙ୍କ ସହ ପୂର୍ବତନ ବିଜେପି ବିଧାୟକ ଉଦୟଭାନ କରୱାରିଆଙ୍କ ଫଟୋ ସେୟାର କରିଛନ୍ତି। ସେ କହିଛନ୍ତି ସଦାକତଙ୍କର ବିଜେପି ସହ ସମ୍ପର୍କ ଥିବାର ଏହା ପ୍ରମାଣ। ବିଜେପି ଅଯଥାରେ ସମାଜବାଦୀ ପାର୍ଟିକୁ ଦୋଷ ଦେଉଛି ବୋଲି ସେ କହିଛନ୍ତି।