କଂଗ୍ରେସକୁ ଏସ୍‌ପି, ବିଏସ୍‌ପି ଭିଟାମିନ୍‌ ମଧ୍ୟପ୍ରଦେଶ, ରାଜସ୍ଥାନରେ ପୂର୍ଣ୍ଣ ସମର୍ଥନ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନରେ ବିଜେପିକୁ ମାତ୍‌ ଦେଇଥିବା କଂଗ୍ରେସ ପାଇଁ ଛିଡ଼ା ହୋଇଛନ୍ତି ବିଏସ୍‌ପି ଓ ଏସ୍‌ପି। ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସକୁ ପୂର୍ଣ୍ଣ ସମର୍ଥନ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ଦଳ। ମଧ୍ୟପ୍ରଦେଶରେ ବିଏସ୍‌ପିର ଦୁଇଜଣ ବିଧାୟକ ଜିତିଥିବା ବେଳେ ଏହି ରାଜ୍ୟରେ ସରକାର ଗଢ଼ିବା ଲାଗି କଂଗ୍ରେସକୁ ମାତ୍ର ଦୁଇଜଣ ବିଧାୟକ ଦରକାର। ତେଣୁ ବିଏସ୍‌ପି ସହାୟତାରେ କଂଗ୍ରେସ ଏଠାରେ ସରକାର ଗଢ଼ିପାରିବ। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି (ଏସ୍‌ପି) ନେତା ଅଖିଳେଶ ଯାଦବ ମଧ୍ୟ ପୂର୍ଣ୍ଣ ‌ସମର୍ଥନ ଯୋଗାଇଦେବାକୁ ଆଗେଇ ଆସିଛନ୍ତି। ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ବିଏସ୍‌ପି ପୃଥକ୍‌ ଭାବେ ନିର୍ବାଚନ ଲଢ଼ିଥିଲା। କଂଗ୍ରେସ ସହିତ ସମ୍ଭାବ୍ୟ ମେଣ୍ଟ ନକରିବା ପାଇଁ ଦଳ ନିଷ୍ପତ୍ତି ନେଇଥିଲା। କିନ୍ତୁ ଫଳାଫଳ ପରେ ମାୟାବତୀ ନିଜ ନିଷ୍ପତ୍ତି ବଦଳାଇଛନ୍ତି। ଏ ବାବଦରେ ମାୟାବତୀ କହିଛନ୍ତି ଯେ ମଧ୍ୟ ପ୍ରଦେଶ‌ରେ ସରକାର ଗଢ଼ିବା ଲାଗି ଏବେ ବିଜେପି ପ୍ରୟାସ ଜାରି ରଖିଛି। ଏହି ଦଳକୁ ରୋକାଯିବା ନିହାତି ଆବଶ୍ୟକ। ତେଣୁ କଂଗ୍ରେସର ବିଚାର ସହିତ ଆମର ମେଳ ଖାଉନଥିବା ସତ୍ତ୍ବେ ଆମେ ଦଳକୁ ସମର୍ଥନ ଯୋଗାଇବାକୁ ଚାହୁଛୁ। ଆବଶ୍ୟକ ପଡ଼ିଲେ ରାଜସ୍ଥାନରେ ମଧ୍ୟ ସମର୍ଥନ ଯୋଗାଇବୁ।

ସମ୍ବନ୍ଧିତ ଖବର