ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଷ୍ଟଣ୍ଟର ଅନେକ ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓଗୁଡ଼ିକ ମଧ୍ୟରେ କିଛି ଏପରି ଭିଡିଓ ରହିଥାଏ ଯେଉଁଥିରେ ଲୋକେ ନିଜ ଜୀବନକୁ ବିପଦରେ ପକାଇ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥାଏ। ନିକଟରେ ରାମପୁର ଜିଲ୍ଲାରୁ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ଭିଡିଓରେ ସମାଜବାଦୀ ପାର୍ଟିର ନେତା ୫୦ ଫୁଟ ଉଚ୍ଚ ୟୁନିପୋଲ୍ ହୋର୍ଡିଂରେ ଚଢ଼ି ସାଇକେଲ ଚଲାଉଥିବା ଦେଖିବାକୁ ମିଳୁଛି। ଏସପି ନେତାଙ୍କ ଏହି ଷ୍ଟଣ୍ଟର ଭିଡିଓ ଯିଏ ଦେଖୁଛନ୍ତି, ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଏସପି ନେତା ବାବା ସାହେବ ଆମ୍ବେଦକର ବାହିନୀର ରାଷ୍ଟ୍ରୀୟ ସମ୍ପାଦକ । ଯାହାଙ୍କ ନାମ ରାମ ବାହାଦୁର ସାଗର ।
ରାମ ବାହାଦୁର ସାଗର ପାର୍ଟିର ପ୍ରଚାର କରିବା ପାଇଁ ମନସୁରପୁର ବାଇପାସ ନିକଟସ୍ଥ ୟୁନିପୋଲରେ ଫ୍ଲେକ୍ସି ବୋର୍ଡ ଉପରେ କେବଳ ନିଜର ସାଇକେଲ ପ୍ରଦର୍ଶନ କରି ନଥିଲେ, ବରଂ ନିଜ ଜୀବନକୁ ବିପଦରେ ପକାଇ ହୋର୍ଡିଂ ଉପରେ ସାଇକେଲ ଚଲାଇଥିଲେ। ଏହି ସମୟରେ କେହିଜଣେ ଭିଡିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଛି।
ସମାଜବାଦୀ ନେତା ଲକ୍ଷ୍ନୌ-ଦିଲ୍ଲୀ ଜାତୀୟ ରାଜପଥରେ ତାଙ୍କ ଘର ବାହାରେ ଏକ ବଡ଼ ହୋର୍ଡିଂ ଲଗାଇଥିଲେ। ହୋର୍ଡିଂଟି ପ୍ରାୟ ୪୦ ରୁ ୫୦ ଫୁଟ ଉଚ୍ଚର ହେବ। ଏହା ଉପରେ ରାମ ବାହାଦୁର ସମାଜବାଦୀ ପାର୍ଟିର ପ୍ରତୀକ ଭାବରେ ସାଇକେଲ ତିଆରି କରାଇଲେ। କେବଳ ଏତିକି ନୁହେଁ, ରାମ ବାହାଦୁର ଏହି ସାଇକେଲରେ ବସି ନିଜର ଭିଡିଓ ମଧ୍ୟ ତିଆରି କରିଥିଲେ।
ରାମ ବାହାଦୁର ଏଭଳି ଷ୍ଟଣ୍ଟ କରିବାକୁ ନେଇ କହିଛନ୍ତି, ‘ସମାଜବାଦୀ ପାର୍ଟି ପ୍ରତି ମୋର ଥିବା ଭଲ ପାଇବାକୁ ଭିନ୍ନ ଉପାୟରେ ପ୍ରକାଶ କରିବାକୁ ଚାହୁଁଥିଲି, ତେଣୁ ମୁଁ ଏଭଳି ଷ୍ଟଣ୍ଟ କରିଥିଲି।’
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ କିଛି ଲୋକ ରାମ ବାହାଦୁରଙ୍କ ଷ୍ଟଣ୍ଟକୁ ନେଇ ସମାଲୋଚନା କରିଛନ୍ତି।