ଆଚରଣ ବିଧି ଉଲ୍ଲଂଘନ ମହଙ୍ଗା ପଡ଼ିଲା; ପ୍ରାର୍ଥୀ ଓ ଅନ୍ୟ ୫୯ ଜଣଙ୍କ ବିରୋଧରେ ମାମଲା ରୁଜ୍ଜୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବୁଧବାର ଦିନ ନିର୍ବାଚନ ଆୟୋଗର ଆଦର୍ଶ ଆଚରଣ ବିଧି ଏବଂ କରୋନାଭାଇରସ୍‌ ନିୟମ ଉଲ୍ଲଂଘନ ନିର୍ବାଚନ ଲଢ଼ୁଥିବା ଜଣେ ପ୍ରାର୍ଥୀ ଏବଂ ତାଙ୍କର ଅନ୍ୟ ୫୯ ଜଣ ସହଯୋଗୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ଉତ୍ତରପ୍ରଦେଶର ଶାମଲି ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ସମାଜବାଦୀ ପାର୍ଟି- ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟର ପ୍ରାର୍ଥୀ ପ୍ରସାନ ଚୌଧୁରୀ କାହାରି ଠାରୁ କୌଣସି ପ୍ରକାରର ଅନୁମତି ନନେଇ ଜିଲ୍ଲାର କୁୱାନା ଗ୍ରାମରେ ଏକ ସାଧାରଣ ସଭା କରୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା।

ପରେ ଏସଂପର୍କରେ ପ୍ରଶାସନ ଠାରୁ ଖବର ପାଇବା ପରେ ଛତ୍ତରପ୍ରଦେଶ ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ସଭାକୁ ବନ୍ଦ କରିବା ସହ ପ୍ରାର୍ଥୀ ଚୌଧୁରୀଙ୍କ ସମେତ ୬୦ ଜଣଙ୍କ ବିରୋଧରେ ଆଇପିସିର ଧାରା ୧୮୮ (ସରକାରୀ କର୍ମଚାରୀଙ୍କ ଦ୍ୱାରା ବିଧିବଦ୍ଧ ଭାବରେ ପ୍ରବର୍ତ୍ତିତ ଆଦେଶ ଦେବାପାଇଁ ଅବମାନନା), ଆଇପିସିର ୨୬୯ ଏବଂ ୨୭୦ (ଯେକୌଣସି ରୋଗର ସଂକ୍ରମଣ ବିସ୍ତାର) ଏବଂ କାନ୍ଧଲା ପୁଲିସ ଷ୍ଟେସନରେ ୧୮୯୭ର ମହାମାରୀ ରୋଗ ଅଧିନିୟମ, ୧୮୯୭ ଅନୁଯାୟୀ ଏକାଧିକ ସଙ୍ଗୀନ ଦଫାରେ ଏକ ମାମଲା ରୁଜ୍ଜୁୁ କରିଛି ବୋଲି ପୁଲିସ୍‌ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ରାଜ୍ୟରେ କରୋନାଭାଇରସ୍‌ ସଂକ୍ରମଣ ମାମଲାରେ ଅହେତୁକ ବୃଦ୍ଧି ହେତୁ ନିର୍ବାଚନ ଆୟୋଗ ଜାନୁଆରି ୨୨ ପର୍ଯ୍ୟନ୍ତ ରାଜ୍ୟରେ ଶାରୀରିକ ରାଲି ଏବଂ ଲୋକଙ୍କ ସଭା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ସମ୍ବନ୍ଧିତ ଖବର