ବେଙ୍ଗାଲୁରୁ : କ୍ରମାଗତ ତୃତୀୟ ବର୍ଷ ପାଇଁ ମହାକାଶ ଶିଳ୍ପ କ୍ଷେତ୍ରରେ ଅଷ୍ଟ୍ରେଲିଆ ଆମର ଏକ ମୁଖ୍ୟ ଅଂଶୀଦାର ଦେଶ ହୋଇ ରହିଆସିଛି। ବେଙ୍ଗାଲୁରୁ ସ୍ପେସ୍ ଏକ୍ସପୋ ୨୦୨୨ (ବିଏସ୍ଏକ୍ସ ୨୦୨୨) ଅବସରରେ ସୋମବାର ଅଷ୍ଟ୍ରେଲିଆ-ଭାରତ ମହାକାଶ ଶିଳ୍ପ ସମ୍ବନ୍ଧୀୟ ୬ଟି ରାଜିନାମା ସ୍ବାକ୍ଷରିତ ହୋଇଛି। ଏହି ଅନୁଯାୟୀ ଅଷ୍ଟ୍ରେଲିଆର ସ୍ପେସ୍ ମେସିନ୍ସ କମ୍ପାନି ବେଙ୍ଗାଲୁରୁ-ସ୍ଥିତ ଏରୋସ୍ପେସ୍ ଓ ପ୍ରତିରକ୍ଷା ସାମଗ୍ରୀ ନିର୍ମାତା ଅନନ୍ତ ଟେକ୍ନୋଲୋଜିଜ୍ ସହ ମିଶି ଇଣ୍ଟିଗ୍ରେସନ, ଟେଷ୍ଟିଂ, ପ୍ରଯୁକ୍ତି ବିକାଶ ଓ ଯୁଗ୍ମ ମହାକାଶ ମିସନ ଉପରେ କାମ କରିବ।
ସେହିପରି ତାଙ୍କ ଦେଶର ହେକ୍ସ୨୦ କମ୍ପାନି ହାଇଦ୍ରାବାଦ-ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ ସହ ମିଶି ଲଞ୍ଚ୍ ସେବା, ସ୍ପେସ୍କ୍ରାଫ୍ଟ ଏଭିଓନିକ୍ସ ଆଦି ସେବା ପ୍ରଦାନ କରିବ। ପର୍ଥଠାରେ ଥିବା କ୍ୟୁଏଲ୍ ସ୍ପେସ୍ ସ୍କାଇରୁଟ୍ ଏରୋସ୍ପେସ୍ ସହ ସହଭାଗିତାରେ ଅଷ୍ଟ୍ରେଲିଆରେ ଲଞ୍ଚ୍ ସୁବିଧାର ବିକାଶ କରିବ ଏବଂ ମହାକାଶରେ ଥାଇ ଯୁଗ୍ମ ଖଣିଜ ସନ୍ଧାନ ମିସନରେ କାର୍ଯ୍ୟ କରିବ। କ୍ୟୁଏଲ୍ ମଧ୍ୟ ଚେନ୍ନାଇ-ଭିତ୍ତିକ ଗ୍ୟାଲାକ୍ସ-ଆଇ ସହ ମିଶି ହାଇବ୍ରିଡ୍ ଅପ୍ଟିକ୍ ଓ ରାଡାର ପେଲୋଡ୍ ବିକାଶ ଆଦି କାର୍ଯ୍ୟ କରିବ।