‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ଭାରତ ଉପରେ ବି ଖସିପାରେ: ରୁଷୀୟ ମହାକାଶ ମୁଖ୍ୟ

ମସ୍କୋ: ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଥିବା ନୂଆ କଟକଣା ସବୁ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ସମ୍ବନ୍ଧୀୟ ପାରସ୍ପରିକ ସହଯୋଗରେ ବ୍ୟାଘାତ ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ରୁଷୀୟ ମହାକାଶ ସଂସ୍ଥାନ ‘ରୋସ୍‌କସ୍‌ମ୍‌’ର ମୁଖ୍ୟ କହିଛନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ୪ଜଣ ଆମେରିକୀୟ, ୨ଜଣ ରୁଷୀୟ ଏବଂ ୧ଜଣ ଜର୍ମାନ୍‌ ମହାକାଶଚାରୀ ରହି ଗବେଷଣା କରୁଛନ୍ତି।

ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକା ନୂଆ କଠୋର କଟକଣା ଘୋଷଣା କରିବାର ଅଳ୍ପ ସମୟ ପରେ ‘ରୋସ୍‌କସ୍‌ମସ୍‌’ର ମହାନିର୍ଦେଶକ ଡିମିତ୍ରି ରୋଗୋଜିନ୍‌ସ୍‌ ଟୁଇଟ୍‌ କରି କହିଛନ୍ତି, ଆପଣ ଯଦି ଆମ ସହ ସହଯୋଗ କରିବେ ନାହିଁ, ଅନିୟନ୍ତ୍ରିତ ହୋଇ କକ୍ଷପଥରୁ ବାହାରି ଯାଉଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ଯୁକ୍ତରାଷ୍ଟ୍ର ଆମେରିକା କିଂବା ୟୁରୋପ୍‌ରେ ପଡ଼ିବାରୁ କିଏ ରକ୍ଷା କରିବ?

Image Courtesy of CTV News

ଆଉ ଏକ ଟୁଇଟ୍‌ରେ ସେ କହିଛନ୍ତି, ୫୦୦ ଟନ୍‌ ଓଜନ ବିଶିଷ୍ଟ ଏହି ମହାକାଶ ଗବେଷଣା କେନ୍ଦ୍ର ଭାରତ କିଂବା ଚୀନ୍‌ ଉପରେ ମଧ୍ୟ ଖସିପଡ଼ିବାର ଆଶଙ୍କା ରହିଛି। ଆପଣ କ’ଣ ସେମାନଙ୍କ ପ୍ରତି ବିପଦ ସୃଷ୍ଟି କରି ଏଭଳି କଟକଣା ଜାରି କରିଛନ୍ତି? ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ ରୁଷ୍‌ ଉପର ଦେଇ ପ୍ରଦକ୍ଷଣ କରେ ନାହିଁ। ତେଣୁ, କିଛି ଅଘଟଣ ଘଟିଲେ ସେଥିପ୍ରତି ଆପଣ ଉତ୍ତରଦାୟୀ ହେବେ। ସେଥିପାଇଁ ପ୍ରସ୍ତୁତ ଅଛନ୍ତି ତ?

ଏହାପରେ ସେ ସୁପରାମର୍ଶ ଦେଇ ଯୁକ୍ତରାଷ୍ଟ୍ର ଆମେରିକାକୁ କହିଲେ, ଏଭଳି ଦାୟିତ୍ବହୀନ ଆଚରଣ କରନ୍ତୁ ନାହିଁ।

କିନ୍ତୁ, ‘ନାସା’ କହିଛି ଯେ, ବାଇଡେନ୍‌ ଜାରି କରିଥିବା କଟକଣା ଦୁଇ ଦେଶ ମଧ୍ୟରେ ଥିବା ମହାକାଶୀୟ ସହଯୋଗକୁ ପ୍ରଭାବିତ କରିବ ନାହିଁ।

ସମ୍ବନ୍ଧିତ ଖବର