ଜାମ୍ମୁ, ଅଗରତାଲାରେ ପ୍ରତିଷ୍ଠା ହେବ ମହାକାଶ ଗବେଷଣା କେନ୍ଦ୍ର

ନୂଆଦିଲ୍ଲୀ : ଏକ ସ୍ୱୟଂସଂପୂର୍ଣ୍ଣ ମହାକାଶ ପ୍ରଯୁକ୍ତି ଗବେଷଣା କେନ୍ଦ୍ର ସ୍ଥାପନ ହେବାରେ ସମଗ୍ର ଉତ୍ତର ଭାରତରେ ଜାମ୍ମୁ ପ୍ରଥମ ସହର ହେବ ବୋଲି କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ (ସ୍ୱାଧୀନ ଦାୟିତ୍ୱ), ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କାର୍ମିକ, ଆଣବିକ ଶକ୍ତି ଓ ମହାକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସୂଚାଇଛନ୍ତି । ଏହି କେନ୍ଦ୍ରରେ ଗବେଷଣା, ଅଧ୍ୟୟନ ଏବଂ ସ୍ନାତ୍ତକୋତ୍ତର ଶିକ୍ଷାଦାନର ବ୍ୟବସ୍ଥା ରହିବ । ଜାମ୍ମୁ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଅଧୀନରେ ଏହି କେନ୍ଦ୍ର କାର୍ଯ୍ୟ କରିବ । ଜାମ୍ମୁ ବ୍ୟତୀତ, ଅନ୍ୟ ଯେଉଁ ସହରରେ ମହାକାଶ ପ୍ରଯୁକ୍ତି ଗବେଷଣ କେନ୍ଦ୍ର ସ୍ଥାପନ ସକାଶେ ସ୍ଥିର କରାଯାଇଛି ତାହା ହେଲା ତ୍ରିପୁରାର ଉତ୍ତର-ପୂର୍ବାଞ୍ଚଳ ଯାହା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ତ୍ରିପୁରା ଅଧୀନରେ କାର୍ଯ୍ୟ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମାଧ୍ୟମରେ “ସରାଭାଇ ଶତବାର୍ଷିକୀ” କାର୍ଯ୍ୟକ୍ରମ ଯାହାକି ବର୍ଷ ବ୍ୟାପୀ ପାଳନ କରାଯିବାକୁ ସ୍ଥିର ହୋଇଛି ତାହା ଆଜିଠାରୁ ଶୁଭାରମ୍ଭ ହୋଇଛି । ଏହା ଇସ୍ରୋର ପ୍ରଥମ ଅଧ୍ୟକ୍ଷ ଡ଼କ୍ଟର ବିକ୍ରମ ସରାଭାଇଙ୍କ 99ତମ ଜୟନ୍ତୀ ଅବସରରେ ଆରମ୍ଭ ହୋଇଛି । ଡ଼କ୍ଟର ସରାଭାଇ ଭାରତୀୟ ମହାକାଶ ଗବେଷଣା କାର୍ଯ୍ୟକ୍ରମର ଜନକ ଭାବେ ସର୍ବତ୍ର ସୁପରିଚିତ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଡକ୍ଟର ସିଂହ ଏଭଳି ଦୁଇଟି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ଜାମ୍ମୁ ଓ ତ୍ରିପୁରାଠାରେ ମହାକାଶ ପ୍ରଯୁକ୍ତି ଗବେଷଣା କେନ୍ଦ୍ର ସ୍ଥାପନ କରାଯିବ ସଂପର୍କରେ ସୂଚନା ଦେଇ ଡକ୍ଟର ଜିତେନ୍ଦ୍ର ସିଂହ କହିଲେ ଯେ ଏହି ଦୁଇ କେନ୍ଦ୍ର ପ୍ରଗତିର ଏକ ନୂତନ ମାର୍ଗ ଉନ୍ମୋଚନ କରିବ ଏବଂ ବିଦ୍ୟାର୍ଥୀ ଓ ଯୁବ ଗବେଷକମାନଙ୍କୁ ଏହା ମହାକାଶ ବିଜ୍ଞାନ ସଂପର୍କରେ ଅଧିକ ଜ୍ଞାନ ଆହରଣର ସୁଯୋଗ ପ୍ରଦାନ କରିବ ଯଦ୍ୱାରା ସେମାନେ ମହାକାଶ ଗବେଷଣା ସଂପର୍କରେ ନିଜର କ୍ୟାରିଅର ଗଢ଼ିବା ସହ ଅଧିକରୁ ଅଧିକ ଗବେଷଣାର ସୁଯୋଗ ପାଇପାରିବେ ।

ସମ୍ବନ୍ଧିତ ଖବର