ଟମାଟୋ ମଞ୍ଜି ପଠାଇଲା ‘ନାସା’: ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ଚାଷ କରି ଖାଇବେ ମହାକାଶଚାରୀ

ଫ୍ଲୋରିଡା: ଶୁକ୍ରବାର ରାତି ୨.୨୦ରେ ଫ୍ଲୋରିଡାସ୍ଥିତ ‘କେନେଡି ସ୍ପେସ୍‌ ସେଣ୍ଟର୍‌’ରୁ ‘ନାସା’ ‘ସ୍ପେସ୍‌-ଏକ୍ସ୍‌’ ରକେଟ୍‌ ଯୋଗେ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’କୁ ଅନେକ ସାମଗ୍ରୀ ପଠାଇଛି।

ଗତ ମଙ୍ଗଳବାର ଦିନ ଉକ୍ତ ରକେଟ୍‌ ଉତ୍‌‌କ୍ଷେପଣ କରାଯିବାର ଥିଲା, କିନ୍ତୁ ଖରାପ ପାଗ ଯୋଗୁଁ ତାହା ସମ୍ଭବ ହେଲାନାହିଁ ‌ବୋଲି ‘ସ୍ପେସ୍‌-ଏକ୍ସ୍‌’ କହିଛି।

‘ସ୍ପେସ୍‌-ଏକ୍ସ୍‌’ର ‘ଡ୍ରାଗନ୍‌ କାର୍ଗୋ’ ମହାକାଶଯାନରେ ୭,୭୦୦ ପାଉଣ୍ଡ ଓଜନର ଗବେଷଣା ‘ହାର୍ଡୱେର୍‌’ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଯାଇଥବା କଥା ‘ନାସା’ କହିଛି।

ଏଥିସହ, ମହାକାଶ କେନ୍ଦ୍ରରେ ଥିବା ମହାକାଶଚାରୀଙ୍କ ପାଇଁ ବାମନ ଟମାଟୋ ମଞ୍ଜି, ଆଇସ୍‌କ୍ରିମ୍‌ ଏବଂ ‘ମସଲାଦିଆ କଞ୍ଚା ବିନ୍‌ସ୍‌’ ‘କ୍ରେନ୍‌ବେରି ଆପ୍ଲ୍‌ ଡେଜର୍ଟ’, କଖାଇ ପାଇ ଏବଂ କ୍ୟାଣ୍ଡି କର୍ଣ୍ଣ ଆଦି ‘ଥ୍ୟାଙ୍କସ୍‌ ଗିଭିଙ୍ଗ୍‌ ଫେୟାର୍‌’ ଭାବେ ପଠାଯାଇଛି।

Image Courtesy of Game News 24

ମହାକାଶରେ ତଟକା ଖାଦ୍ୟ ଉତ୍ପାଦନ ଜାରି ରଖିବା ପାଇଁ ପରୀକ୍ଷାମୂଳକଭାବେ ପନିପରିବା ଚାଷ କରାଯାଉଛି। ମହାଶୂନ୍ୟରେ ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ପୋଷକତତ୍ତ୍ବ ହେଉଛି ମୁଖ୍ୟ ଉପାଦାନ। କିନ୍ତୁ, ତଟକା ଖାଦ୍ୟ ସଙ୍କଟ ହେଉଥିବାରୁ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ୬ ମାସ ପାଇଁ ରହୁଥିବା ମହାକାଶଚାରୀମାନେ ପୂର୍ବରୁ ପ୍ୟାକେଟ୍‌ କରାଯାଇ ସଂରକ୍ଷିତ ଥିବା ଖାଦ୍ୟ ଖାଉଛନ୍ତି।

ସୂଚନାଯୋଗ୍ୟ, ଆଗରୁ ମହାକାଶଚାରୀମାନେ ‘ଆନ୍ତର୍ଜାତିକ ମହାକାଶ କେନ୍ଦ୍ର’ରେ ବିଭିନ୍ନ କିସମର ଲେଟ୍ୟୁସ୍‌, ମୂଳା, ଲଙ୍କା ଚାଷ କରିଛନ୍ତି। ଏଥର ସେମାନେ ‘ରେଡ୍‌ ରିବନ୍‌’ କିସମର ‘ଚେରି ଟମାଟୋ’ ଚାଷ କରିବେ।

ପଠାଯାଇଥିବା ଟମାଟୋ ମଞ୍ଜିଗୁଡ଼ିକୁ ଦୁଇ ପ୍ରକାରର ଆଲୋକରେ ଚାଷ କରାଯାଇ ଦେଖା ଯିବେ କେଉଁଥିରେ ଅଧିକ ଫଳ ଫଳିବା ସହିତ ପୋଷକତତ୍ତ୍ବ ଓ ସ୍ବାଦ ରହୁଛି। ଏହାଛଡ଼ା, ପଠାଯାଇଥିବା ଟମାଟୋ ମଞ୍ଜି ପୃଥିବୀରେ ବି ଚାଷ କରାଯାଉଛି। ବୈଜ୍ଞାନିକମାନେ ମହାକାଶ ଓ ପୃଥିବୀରେ ଫଳିଥିବା ସମାନ କିସମର ଟମାଟୋର ତୁଳନାତ୍ମକ ଅଧ୍ୟୟନ କରିବେ।

ମହାକାଶ କେନ୍ଦ୍ରର ‘ଭେଜି’ ବୋଲି କୁହାଯାଉଥିବା ପ୍ରକୋଷ୍ଠରେ ଛୋଟ ଛୋଟ ମୁଣାରେ ଚାଷ ହେବାକୁ ଥିବା ‘ସ୍ପେସ୍‌ ଟମାଟୋ’ ସବୁ ୩ ମାସରେ ଫଳିବ।

ସମ୍ବନ୍ଧିତ ଖବର