ମହାଶୂନ୍ୟରେ କୀର୍ତ୍ତିମାନ ‘ସ୍ପେସ୍‌ଏକ୍ସ’

ଅନ୍ତରୀକ୍ଷ କେନ୍ଦ୍ରକୁ ଗଲେ ୨ ମହାକାଶଚାରୀ
ପ୍ରଥମ ବେସରକାରୀ ସଫଳତା
ଟ୍ରମ୍ପ, ମେଲାନିଆ ଦେଖିଲେ ଉତ୍‌‌କ୍ଷେପଣ

ୱାସିଂଟନ : ଆମେରିକାର ଜଣାଶୁଣା ଉଦ୍ୟୋଗୀ ମହକାଶଯାନ ନିର୍ମାଣ କମ୍ପାନି ସ୍ପେସ୍‌ଏକ୍ସ ଇତିହାସ ରଚିଛି। ଫୋରିଡ଼ାସ୍ଥିତ ନାସାର କେନେଡି ମହାକାଶ କେନ୍ଦ୍ରରୁ ଦୁଇ ଜଣ ମହକାଶଚାରୀ ବବ୍ ବେନ୍‌କେନ୍ (୪୯) ଓ ଡଗ୍ ହର୍ଲି(୫୩)ଙ୍କୁ ନେଇ ମହାକାଶକୁ ଯାତ୍ରା କରିଛି। ଶନିବାର ସମୟ ଇଡିଟି ୩ଟା ୨୨ ମିନିଟରେ ସ୍ସେସ୍‌ଏକ୍ସର କ୍ରିଉ ଡ୍ରାଗନ ମହାକାଶଯାନର ଉତ୍‌କ୍ଷେପଣ କରାଯାଇଥିଲା। କମ୍ପାନିର ଫାଲକନ୍ ୯ ର‌କେଟ ମାଧ୍ୟରେ ଏହି ମକାକାଶଯାନକୁ ପ୍ରେରଣ କରାଯାଇଛି।

ପୂର୍ବରୁ ବିଶ୍ବର ତିନିଟି ଦେଶ ଯଥା ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନ୍ ସରକାରୀ ଭାବେ ମହାକାଶ କେନ୍ଦ୍ରକୁ ମହାକାଶଚାରୀ ପଠାଇବାରେ ସଫଳ ହୋଇଥିବାବେଳେ ଆଜି ସ୍ସେସ୍‌ଏକ୍ସ ନାମକ ଏହି ଘରୋଇ କମ୍ପାନି ଏଭଳି ବିରଳ ସଫଳତା ହାସଲ କରିଛି। ଏହାଦ୍ବାରା ଆଗାମୀ ଦିନରେ ମହାକାଶଚାରୀଙ୍କୁ ବାଣିଜ୍ୟିକ ଭାବେ ମହାକାଶକୁ ‌ପଠାଇବା ବାଟ ଫିଟିଛି। ୨ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଉକ୍ତ ଯାନ ୧୯ ଘଣ୍ଟାରେ ପହଞ୍ଚାଇବ। ରବିବାର ଇଡିଟି ସମୟ ୧୦ଟା ୨୯ ମିନିଟରେ ଏହା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ କରିବ।

ଏହି ଉତ୍‌କ୍ଷେପଣକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏବଂ ହଜାର ହଜାର ଉତ୍ସୁକ ବ୍ୟକ୍ତି ଦେଖିଥିଲେ। ଦେଶପାଇଁ ଏହା ଏକ ଖୁବ୍ ମହାନ ଦିବସ ବୋଲି ଏହି ଅବସରରେ ଟ୍ରମ୍ପ କହିଥିଲେ। ସେ ଏହି ଅବସରରେ ମସ୍କ, ନାସା ଓ ମହାକାଶଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମସ୍କଙ୍କୁ ମଧ୍ୟ ଟ୍ରମ୍ପ ବିଚକ୍ଷଣ ମସ୍ତିସ୍କର ଅଧିକାରୀ ବୋଲି କହିଛନ୍ତି। ମହାକାଶ ଯାନ ଯାତ୍ରା ପୂର୍ବରୁ ସେ ମହାକାଶକୁ ଯାତ୍ରା କରୁଥିବା ୨ ଜଣ ମହାକାଶଚାରୀଙ୍କ ସହିତ ମଧ୍ୟ କଥା ହୋଇଥିଲେ। ଏହି ଅବସରରେ ନାସାର ପ୍ରଶାସକ ଜିମ୍ ବ୍ରିଡେନଷ୍ଟାଇନ୍ ମଧ୍ୟ ଉପସ୍ଥିତ ଥିଲେ। ଚଳିତ ସପ୍ତାହରେ କିଛିଦିନ ପୂର୍ବରୁ ଉକ୍ତ ମହାକାଶଯାନକୁ ମହାକାଶକୁ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ପାଗ ଖରାପ ରହିବା କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ବାଣିଜ୍ୟିକ ମହାକାଶ ଯାନ ପ୍ରେରଣରେ ଏହା ଏକ ନୂଆ ଇତିହାସ। ସ୍ପେସ୍‌ଏକ୍ସ ବ୍ୟତୀତ ଏଲନ୍ ମସ୍କ ତାଙ୍କ ବିଦ୍ୟୁତ୍ କାର ନିର୍ମାଣକାରୀ କମ୍ପାନି ଟେସ୍‌ଲା ପାଇଁ ମଧ୍ୟ ବିଶ୍ବରେ ପ୍ରସିଦ୍ଧି ଲାଭ କରିଛନ୍ତି।

‘ନାସା’, ୪୦ ବର୍ଷ ତଳେ ସ୍ପେସ୍‌ ସଟଲ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା ଏବଂ ୨୦୧୧ ଥିଲା ଶେଷ ପରୀକ୍ଷଣ କରିଥିଲା। ତାହା ମଧ୍ୟ ଆମେରିକାରୁ ନହୋଇ ରୁଷିଆର କାଜାଖ୍‌ସ୍ତାନ୍‌ରୁ ଉତ୍‌କ୍ଷେପିତ ହୋଇଥିଲା। ତେବେ ୯ ବର୍ଷ ଧରି ଆମେରିକାରେ ମହାକାଶକୁ ମାନବ ପ୍ରେରଣ ହୋଇ ପାରି ନଥିଲା।

ସମ୍ବନ୍ଧିତ ଖବର