ପ୍ରଥମ ଥର ପାଇଁ ମହାକାଶକୁ ଗଲା ୨୩ ତାଲା କୋଠା ଉଚ୍ଚ ରକେଟ୍‌ ‘ଫାଲ୍‌କନ୍‌ ହେଭି’

କେପ୍‌ କାନାଭେରାଲ୍‌: ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ ସ୍ପେସ୍‌ ଏକ୍‌ସ୍‌ର ‘ଫାଲ୍‌କନ୍‌ ହେଭି’ ପ୍ରଥମ କରି ମଙ୍ଗଳବାର ଦିନ ଫ୍ଲୋରିଡାର ଏକ ଲଞ୍ଚ୍‌ ସାଇଟ୍‌ରୁ ମହାଶୂନ୍ୟକୁ ଯାଇଛି। ‘ଫାଲ୍‌କନ୍‌ ହେଭି’ର ନିର୍ମାତା ହେଉଛି କୋଟିପତି ଉଦ୍ୟୋଗୀ ଇଲୋନ୍‌ ମସ୍କ୍‌ଙ୍କ ଘରୋଇ ରକେଟ୍‌ କମ୍ପାନି। ଏହି ସାଇଟ୍‌ରୁ ହିଁ ଦିନେ ଚନ୍ଦ୍ର ଅଭିଯାନ ଆରମ୍ଭ ହୋଇଥିଲା।

୨୩ ତାଲା ଅଟ୍ଟାଳିକା ଉଚ୍ଚ ବିଶାଳ ରକେଟ୍‌ଟି ମକ୍‌ ପ୍ଲେଲୋଡ୍‌ ଭାବେ ମହାକାଶକୁ ଏକ ଲାଲ୍‌ ରଙ୍ଗର ଟେସ୍‌ଲା ରୋଡ୍‌ଷ୍ଟର୍‌ କାର୍‌ ଧାରଣ କରି କେପ୍‌ କାନାଭେରାଲ୍‌ ଠାରେ ଥିବା କେନେଡି ସ୍ପେସ୍‌ ସେଣ୍ଟର୍‌ରୁ ଅପରାହ୍ଣ ୩. ୪୫ ମିନିଟ୍‌ରେ ମହାକାଶକୁ ଉଡ଼ାଣ ଆରମ୍ଭ କରିଥିଲା। ଉତ୍‌କ୍ଷେପଣ ଦେଖିବାକୁ ସ୍ପେସ୍‌ ସେଣ୍ଟର୍‌ ଠାରୁ ୮ କିଲୋମିଟର ଦୂର କୋକୋଆ ବିଚ୍‌ରେ ଶହ ଶହ ଦର୍ଶକ ରୁଣ୍ଡ ହୋଇଥିଲେ।
ଉତ୍‌କ୍ଷେପଣ ହେବାର ତିନି ମିନିଟ୍‌ ମଧ୍ୟରେ ସାଇଡ୍‌ ବୁଷ୍ଟର୍‌ ଦୁଇଟି ମୁଖ୍ୟ ରକେଟ୍‌ରୁ ପୃଥକ୍‌ ହୋଇ ଯାଇଥିଲା। ୮ ମିନିଟ୍‌ ପରେ ଦୁଇ ସାଇଡ୍‌ ବୁଷ୍ଟର୍‌ ଉଡ଼ି ଉଡ଼ି ପୃଥିବୀ ପୃଷ୍ଠକୁ ଫେରିବା ସହ ନିରାପଦରେ ଏକ ସମୟରେ କେପ୍‌ କାନାଭେରାଲ୍‌ ଏୟାର୍‌ ଫୋର୍ସ ଷ୍ଟେସନ୍‌ରେ ଅବତରଣ କରିଥିଲେ।

ଫାଲ୍‌କନ୍‌ ହେଭିର ଉତ୍‌କ୍ଷେପଣ ପ୍ରାୟ ଠିକ୍‌ ଥିବାବେଳେ ଦୀର୍ଘ ଛଅ ଘଣ୍ଟା ଧରି ପୃଥିବୀ ଚାରିପଟେ ଘୂରିବା ବେଳେ ପ୍ଲେଲୋଡ୍‌ ଧାରଣ କରିଥିବା ଏହାର ଉପର ଅଂଶ କିଛି କ୍ଷତିଗ୍ରସ୍ତ ହେଉଛି କି, ନାହିଁ ତାହା ଦେଖିବାକୁ ବାକି ଅଛି।

ଏହାକୁ ଉତ୍‌କ୍ଷେପଣ କରିବାକୁ ୨୭ଟି ରକେଟ୍‌ ଇଞ୍ଜିନ୍‌ ଲାଗିଥିଲା।

ସମ୍ବନ୍ଧିତ ଖବର