ଗ୍ରାଉଣ୍ଡ୍ ଟେଷ୍ଟ୍‌ ବେଳେ ଫାଟିଯାଇ ଅଗ୍ନି ପିଣ୍ଡୁଳା ପାଲଟି ଗଲା ‘ସ୍ପେସ୍ଏକ୍ସ୍‌’ର ‘ଷ୍ଟାର୍‌ସିପ୍ ଏସ୍‌ଏନ୍୪’

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଦକ୍ଷିଣ ଟେକ୍ସାସ୍‌ରେ ସ୍ପେସ୍ଏକ୍ସ୍‌ର ସଦ୍ୟତମ ‘ଷ୍ଟାର୍‌ସିପ୍’ର ଏକ ପ୍ରୋଟଟାଇପ୍ (ମଡେଲ୍) ଗ୍ରାଉଣ୍ଡ୍ ଟେଷ୍ଟ୍‌ ବେଳେ ଫାଟିଯାଇ ଅଗ୍ନି ପିଣ୍ଡୁଳା ପାଲଟି ଯାଇଥିଲା। ଭିନ୍ନ ଏକ ରକେଟ୍‌ରେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଉତ୍‌କ୍ଷେପଣ ନିମନ୍ତେ କମ୍ପାନି ଓଲଟ ଗଣନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଛି। କିନ୍ତୁ, ଏଥିରେ କେହି ମୃତାହତ ହୋଇଥିବା ଖବର ହଠାତ୍ ମିଳି ପାରିନାହିଁ।

ଗତ ରାତି ପ୍ରାୟ ୨: ୪୯ ସମୟରେ ‘ଷ୍ଟାର୍‌ସିପ୍ ଏସ୍ଏନ୍୪’ର ପ୍ରୋଟଟାଇପ୍ ଫାଟି ଯାଇଥିବା କଥା ସାଉଥ୍‌ ପ୍ୟାଡ୍ରେ ଆଇଲାଣ୍ଡ୍ ଟୁରିଜିମ୍ ସାଇଟ୍ ଯୋଗାଇ ଦେଇଥିବା ଭିଡିଓରୁ ଜଣାପଡ଼ିଛି। ରାପ୍ଟର୍ ରକେଟ୍ ଇଞ୍ଜିନ୍‌ର ସଂକ୍ଷିପ୍ତ ପରୀକ୍ଷଣର ମୁହୂର୍ତ୍ତକ ପରେ ଏହି ବ‌ିସ୍ଫୋରଣ ଘଟିଥିଲା। କେଉଁ କାରଣରୁ ବିସ୍ଫୋରଣ ଘଟି ନିଆଁ ଜଳିଲା ତାହା ଜଣାପଡ଼ିନାହିଁ।

କିନ୍ତୁ, ଏହି ବିସ୍ଫୋରଣ ସହ ‘ସ୍ପେସ୍ଏକ୍ସ୍’ ଭିନ୍ନ ଏକ ‌ରକେଟ୍‌ ସିଷ୍ଟମ୍‌ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟର୍‌ରୁ ଉତ୍‌କ୍ଷେପଣ କରିବାକୁ ଥିବା ଫାଲ୍କନ୍ ୯ର କୌଣସି ସମ୍ପର୍କ ନାହିଁ। ଫାଲ୍‌କନ୍ ୯ ନାସାର ଦୁଇ ମହାକାଶଚରୀଙ୍କୁ କ୍ରୁ ଡ୍ରାଗନ୍‌ କ୍ୟାପ୍‌ସୁଲ୍‌ରେ ନେଇ ସ୍ପେସ୍‌ ଷ୍ଟେସନ୍‌ରେ ଛାଡ଼ିବ।

ସମ୍ବନ୍ଧିତ ଖବର