ଏସ୍ତୋନିଆରେ ଭୁଲ୍‌ କ୍ରମେ ସ୍ପେନୀୟ ଲଢୁଆ ବିମାନ ଫାୟାର୍‌ କଲା ଶୂନ୍ୟରୁ ଶୂନ୍ୟକୁ ଗତି କରୁଥିବା ମିସାଇଲ୍‌

ହେଲସିଙ୍କି: ବାଲ୍‌ଟିକ୍‌ ଦେଶ ଓ ନାଟୋ ସଂଘର ଆକାଶ ଅଞ୍ଚଳରେ ଅଭ୍ୟାସ କରିବା ବେଳେ ଗୋଟାଏ ସ୍ପେନୀୟ ଲଢୁଆ ବିମାନ ଭୁଲ୍‌କ୍ରମେ ଫାୟାର୍‌ କରିଥିବା କ୍ଷେପଣାସ୍ତ୍ରର ଅବଶେଷ ଖୋଜା ଚାଲିଥିବା କଥା ଏସ୍ତୋନିଆର ସେନାବାହିନୀ କହିଛି।

ସେନାବହିନୀ କହିଛି ଯେ ନାଟୋର ବାଲ୍‌ଟିକ୍‌ ଏୟାର-ପୋଲିସିଙ୍ଗ୍‌ ମିସନ୍‌ର ଅଂଶ ସ୍ପେନୀୟ ବାୟୁସେନାର ୟୁରୋଫାଇଟର୍‌ ଟାଇଫୁନ୍‌ ଭୁଲ୍‌କ୍ରମେ ଗତ ଅପରାହ୍ଣରେ ଏସ୍ତୋନିଆର ଦକ୍ଷିଣ ଅଭ୍ୟାସାଞ୍ଚଳରେ ଶୂନ୍ୟରୁ ଶୂନ୍ୟକୁ ଗତି କରୁଥିବା ଗୋଟାଏ ‘ଏଏମ୍‌ଆର୍‌ଏଏଏମ୍‌’ ପ୍ରକାରର କ୍ଷେପଣାସ୍ତ୍ର ଫାୟାର କରି ପକାଇଥିଲା।

ଏହି କ୍ଷେପଣାସ୍ତ୍ରରେ ଥିଲା ୧୦ କିଲୋଗ୍ରାମ୍‌ ଓଜନର ବିସ୍ଫୋରକ। ଏହାକୁ ଏସ୍ତୋନିଆର ଅନ୍ତର୍ଗତ ତାର୍ତୁର ଦ୍ୱିତୀୟ ନଗର ଠାରୁ ୪୦ କିଲୋମିଟର୍‌ ଦୂରରେ ଠାବ କରାଯାଇଥିଲା। ଏଭଳି ଭୁଲ୍‌ ଦୁର୍ଘଟନାଜନିତ ଫାୟାର୍‌ ନିମନ୍ତେ ସେଥିରେ ନିଜକୁ ଧ୍ୱଂସ କରିପାରୁଥିବା କୌଶଳ ରହିଛି। କିନ୍ତୁ, ଏହି କ୍ଷେପଣାସ୍ତ୍ରଟିର ଅବଶେଷ ସ୍ଥଳଭାଗରେ ପଡ଼ିଥିବା ଆଶଙ୍କା କରାଯାଉଛି।

ଏସ୍ତୋନିଆର ପ୍ରଧାନମନ୍ତ୍ରୀ ଜୁରି ରାତାସ୍‌ ଫେସ୍‌ବୁକ୍‌ରେ କହିଛନ୍ତି ଯେ ଧନ୍ୟ ଈଶ୍ୱର କୌଣସି ଲୋକବାକ ନିହତ ହୋଇ ନାହାନ୍ତି। ଏହାକୁ ସେ ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର