ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ଚୂଡ଼ାନ୍ତ!

ଖୁବ୍‌ଶୀଘ୍ର ଆନୁଷ୍ଠାନିକ ଘୋଷଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମଧ୍ୟରେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପାଇଁ ମେଣ୍ଟ ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ଉଭୟ ଦଳର ନେତାମାନେ କହିଛନ୍ତି। ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଏସ୍‌ପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ମଧ୍ୟରେ ୨-୩ ପର୍ଯ୍ୟାୟ ଆଲୋଚନା ପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା କୁହାଯାଉଛି। ତେବେ କେତେକ ନିର୍ଦ୍ଦିଷ୍ଟ ଆସନରେ ଅଦଳବଦଳ ଦାବି ଯୋଗୁ ମାୟାବତୀ ଏହାର ସମାଧାନ ଦିଗରେ ପ୍ରୟାସ କରୁଛନ୍ତି। କଂଗ୍ରେସ ଏବଂ ବିଜେପିଠାରୁ ଦୂରରେ ଥିବା ଦଳମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବ ବୋଲି କଳ୍ପନାଜଳ୍ପନା ଚାଲିଥିବା ବେଳେ ଜାନୁଆରି ପହିଲା ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି। ଭାରତୀୟ ଜାତୀୟ ଲୋକଦଳ ଏବଂ ଜନତା ଛତିଶଗଡ଼ କଂଗ୍ରେସ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମ୍ମୁଖରେ ରଖି ନିର୍ବାଚନ ଲଢ଼ାଯିବାକୁ ପ୍ରସ୍ତାବ ଦେଇଛନ୍ତି। ତେବେ ଜାତୀୟ ସ୍ତରରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ମେଣ୍ଟ ସହ ଏସ୍‌ପି-ବିଏସ୍‌ପି ମେଣ୍ଟର ଟକ୍କର ହେଲେ, ଏଥିରୁ ବିଜେପି ଫାଇଦା ଉଠାଇବ ବୋଲି ଏସ୍‌ପି ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ମୁସ୍‌ଲିମ୍‌ ଭୋଟ୍‌ରେ ବଡ଼ଧରଣର ବିଭାଜନ ହେଲେ କଂଗ୍ରେସ କ୍ଷତିଗ୍ରସ୍ତ ହେବ ଏବଂ ଏହାର ସିଧା ଫାଇଦା ବିଜେପିକୁ ମିଳିବାକୁ ଥିବାରୁ ମୁସ୍‌ଲିମ୍‌ ବହୁଳ ଅଞ୍ଚଳରେ ଭିନ୍ନ ରଣନୀତି ଅବଲମ୍ବନ କରିବାକୁ ମାୟାବତୀ ପ୍ରୟାସ କରୁଛନ୍ତି।

ସମ୍ବନ୍ଧିତ ଖବର