ବାଚସ୍ପତି ନିରପେକ୍ଷ ନୁହନ୍ତି, ଜାଣିଶୁଣି ଆମ ଇସ୍ତଫାକୁ ଗ୍ରହଣ କରୁନାହାନ୍ତି : କର୍ଣ୍ଣାଟକର ବିଦ୍ରୋହୀ ବିଧାୟକ

ନୂଆଦିଲ୍ଲୀ : କର୍ଣ୍ଣାଟକର ବିଦ୍ରୋହୀ ବିଧାୟକମାନେ ଦାଏର କରିଥିବା ମାମଲା ସଂପର୍କରେ ଆସନ୍ତା କାଲି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଥିବା ଏକ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଶେଷ ହୋଇଛି ତେବେ ରାୟ ଆସନ୍ତା କାଲି ପାଇଁ ସଂରକ୍ଷିତ ରହିଛି । ଆଜିର ଶୁଣାଣି ବେଳେ ବିଦ୍ରୋହୀ ବିଧାୟକମାନେ କହିଥିଲେ ଯେ ବାଚସ୍ପତି ରମେଶ କୁମାର ସେମାନଙ୍କ ଇସ୍ତଫା ଗ୍ରହଣ କରୁନାହାନ୍ତି ଓ ଦଳ ଛାଡିବାକୁ ଦେଉନାହାନ୍ତି । ବାଚସ୍ପତି ନିରପେକ୍ଷ ନ ରହି ଗୋଟିଏ ପକ୍ଷକୁ ସମର୍ଥନ କରୁଛନ୍ତି । ସେ ଜାଣିଶୁଣି ଇସ୍ତଫା ଗ୍ରହଣ କରିବାକୁ ବିଳମ୍ବ କରୁଛନ୍ତି ଯେମିତିକି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିପାରିବେ । ସେମାନେ ଆହୁରି ମଧ୍ୟ କହିଥିଲେ ଯେ ଆଗାମୀ ଆସ୍ଥାଭୋଟରେ ଏଚ.ଡି. କୁମାରସ୍ୱାମୀ ସରକାରକୁ ସମର୍ଥନ କରିବାକୁ ସେମାନଙ୍କୁ ଧମକ ଦିଆଯାଉଛି । ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ତରଫରୁ ବରିଷ୍ଠ ଆଇନଜୀବି ମୁକୁଲ ରୋହୋତଗୀ , କୁମାରସ୍ୱାମୀଙ୍କ ତରଫରୁ ରାଜୀବ ଧଓ୍ଵନ ଓ ବାଚସ୍ପତିଙ୍କ ତରଫରୁ ଅଭିଷେକ ମନୁସିଂଘଭି ଏହି ମାମଲା ଲଢୁଛନ୍ତି ।
ସୂଚନାଯୋଗ୍ୟ ଯେ ଆସନ୍ତା ଗୁରୁବାରଦିନ କର୍ଣ୍ଣାଟକର ଏଚ.ଡି. କୁମାରସ୍ୱାମୀ ସରକାର ଆସ୍ଥା ଭୋଟ ଲୋଡିବେ । କିନ୍ତୁ ବିଦ୍ରୋହୀ ବିଧାୟକମାନେ ଏବେ ମୁମ୍ବାଇରେ ରହିଛନ୍ତି ଓ ଆସ୍ଥାଭୋଟ ପାଇଁ ବାଙ୍ଗାଲୁରୁ ଯିବାର ସମ୍ଭାବନା କମ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର