ଓଡ଼ିଆରେ କହି ପ୍ରଶଂସା ସାଉଁଟିଲେ ସସ୍ମିତ : ‘ମିସନ ଶକ୍ତି’ ଜାତୀୟ କାର୍ଯ୍ୟକ୍ରମ ହେଉ

ନୂଆଦିଲ୍ଲୀ : ବୁଧବାର ରାଜ୍ୟସଭାର ଶୂନ୍ୟକାଳରେ ଓଡ଼ିଆରେ କହିଛନ୍ତି ସାଂସଦ ଡ. ସସ୍ମିତ ପାତ୍ର। ମହିଳା ସଂରକ୍ଷଣ ବିଲ୍‌ ଉପ‌ରେ ନିଜର ବକ୍ତବ୍ୟ ରଖିବା ସମୟରେ ନିଜ ମାତୃଭାଷାରେ କହିଛନ୍ତି। ଏହି ଅବସରରେ ମିସନ ଶକ୍ତି ଭଳି ଜାତୀୟ ସ୍ତରରେ କାର୍ଯ୍ୟକ୍ରମ ଗ୍ରହଣ କରାଯାଉ ବୋଲି ପ୍ରସ୍ତାବ ଦେଇଛନ୍ତି। ‘ନିଜ ଭାଷାରେ ଖୁବ୍‌ ସୁନ୍ଦର ଅଭିଭାଷଣ ରଖିଲ’, ବୋଲି କହିବା ସହିତ ଗୃହର ଅଧ୍ୟକ୍ଷ ଏମ୍‌. ଭେଙ୍କେୟା ନାଇଡ଼ୁ ତାଙ୍କର ପ୍ରଶଂସା କରିଛନ୍ତି।

ସାଂସଦ ଶ୍ରୀ ପାତ୍ର କହିଥିଲେ, ମହିଳା ସଶକ୍ତୀକରଣ ପାଇଁ ଯେ‌ତେ କାର୍ଯ୍ୟ କଲେ ବି କମ୍‌ ହୋଇଥାଏ। ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତୀକରଣ ପାଇଁ ଯୋଜନାର ଆବଶ୍ୟକତା ରହିଛି। ଏଥିପାଇଁ ସେ ୨ଟି ପ୍ରସ୍ତାବ ଦେଇଥିଲେ। କହିଥିଲେ, ଓଡ଼ିଶାରେ ‘ମିସନ ଶକ୍ତି’ ନାମରେ ଏକ ଯୋଜନା ଅଛି, ଯାହାକି ୮୦ ଲକ୍ଷ ମହିଳାମାନଙ୍କୁ ସଶକ୍ତ କରାଇପାରିଛି। ଓଡ଼ିଶାର ‘ମମତା’ ଯୋଜନାକୁ ଅନୁସରଣ କରି କେନ୍ଦ୍ର ସରକାର ଯେଉଁଭଳି ‘ନ୍ୟାସ୍‌ନାଲ୍‌ ମାଟର୍ନିଟି ସ୍କିମ୍‌’ କାର୍ଯ୍ୟକାରୀ କରୁଛନ୍ତି, ‘ମିସନ ଶକ୍ତି’ ଭଳି ମଧ୍ୟ ଏକ ଯୋଜନା କାର୍ଯ୍ୟକାରୀ କରନ୍ତୁ। ଦ୍ବିତୀୟ ହେଉଛି, ରାଜନୈତିକ କ୍ଷେତ୍ରରେ ସଶକ୍ତୀକରଣ। ସାଂସଦ ଶ୍ରୀ ପାତ୍ର ଏହି ପରିପ୍ରେକ୍ଷୀରେ ଗତ ଲୋକସଭା ନିର୍ବାଚନର ଉଦାହରଣ ଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଲୋକସଭା ନିର୍ବାଚନରେ ଏକତୃତୀୟାଂଶ ଆସନରେ ମହିଳାଙ୍କୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ‌ସୁଯୋଗ ଦେଇଥିଲେ। ତେଣୁ ମହିଳା ସଂରକ୍ଷଣ ବିଲ୍‌କୁ ତୁରନ୍ତ ପାସ୍‌ କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ।

ଶ୍ରୀ ପାତ୍ରଙ୍କ ଅଭିଭାଷଣ ଶୁଣିବା ପରେ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କେୟା ନାଇଡୁ ତାଙ୍କର ପ୍ରଶଂସା କରିଥିଲେ। କହିଥିଲେ, ‘ ନିଜ ଭାଷାରେ ତୁମେ ଖୁବ୍ ସୁନ୍ଦର ଅଭିଭାଷଣ ରଖିଲ।’ ଉଲ୍ଲେଖଯୋଗ୍ୟ, ଗତ ୧୬ ମାସ ମଧ୍ୟରେ ରାଜ୍ୟସଭାର ଅଧ୍ୟକ୍ଷ ଶ୍ରୀ ନାଇଡୁ ପ୍ରସଙ୍ଗଗୁଡ଼ିକର ଉପସ୍ଥାପନ ଶୈଳୀ ପାଇଁ ଶ୍ରୀ ପାତ୍ରଙ୍କୁ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର