ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ବଢିଲା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷା । ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ବଢାଇଲା ଗୃହ ମନ୍ତ୍ରଣାଳୟ । ସୁରକ୍ଷା ବଢାଇବା ନେଇ ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ଆନୁସାରେ ତାଙ୍କ ଜେଡ୍ ସୁରକ୍ଷା ବିବରଣୀରେ ଏବେ ବୁଲେଟ୍ ପ୍ରୁଫ୍ କାର ସହ ଅଧିକ ଯବାନଙ୍କୁ ସାମିଲ କରାଯାଇଛି । ଏଥିସହ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଚାରିପାଖରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ ସିନ୍ଦୂର ଯୋଗୁଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ପାଇ ଆସୁଛନ୍ତି ବୈଦେଶିକ ମନ୍ତ୍ରୀ। ଏହି ସୁରକ୍ଷା ବ୍ୟବସ୍ଥାରେ ୩୩ଜଣ କମାଣ୍ଡୋ ନିୟୋଜିତ ରହିଥାନ୍ତି । ଏହି ଏହି ସୁରକ୍ଷା ପ୍ରକ୍ରିୟାରେ ବୁଲେଟପ୍ରୁଫ୍ କାରକୁ ମଧ୍ୟ ସାମିଲ କରାଯାଇଛି।
ଦେଶରେ ଜେଡ୍ ବର୍ଗର ସୁରକ୍ଷା ବିପଦର ସାମ୍ନା କରୁଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସୁରକ୍ଷା ସ୍ତର ମଧ୍ୟରୁ ଗୋଟିଏ । ଏଥିରେ ଅତି କମରେ ୨୨ଜଣ ସୁରକ୍ଷା କର୍ମୀ ସାମିଲ ଥାନ୍ତି । ଗୁଇନ୍ଦା ସଂସ୍ଥାଗୁଡ଼ିକ ବିପଦର ମୂଲ୍ୟାଙ୍କନ କରିବା ପରେ ଏହି ସୁରକ୍ଷା ପ୍ରଦାନ କରନ୍ତି। ଏହି ବର୍ଗର ସୁରକ୍ଷାରେ ଅତି କମରେ ୪ରୁ ୬ ଜଣ ଏନଏସଜି କମାଣ୍ଡୋ ଏବଂ ପୋଲିସ କର୍ମଚାରୀ ଅନ୍ତର୍ଭୁକ୍ତ । ଜେଡ୍ ବର୍ଗର ସୁରକ୍ଷାରେ ଏସ୍କର୍ଟ ଯାନ ମଧ୍ୟ ଅନ୍ତର୍ଭୁକ୍ତ । ସାଧାରଣତଃ, ଏହି ସୁରକ୍ଷା ସେହି ଭିଭିଆଇପି ମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ପଦବୀ ଏବଂ ପରିସ୍ଥିତି ଯୋଗୁଁ ଅଧିକ ବିପଦରେ ଥାଆନ୍ତି । ସେହି ଦୃଷ୍ଟିରୁ ବୈଦେଶିକ ମନ୍ତ୍ରୀଙ୍କ ସୁରକ୍ଷା ବଢାଯାଇଛି ।