ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର କୌଣସି ଅର୍ଥ ନାହିଁ : କେନ୍ଦ୍ର

ନୂଆଦିଲ୍ଲୀ : ଚତୁର୍ଦ୍ଦଶ ଅର୍ଥ କମିସନ ସ୍ୱତନ୍ତ୍ର ରାଜ୍ୟ ଓ ସାଧାରଣ ଶ୍ରେଣୀ ରାଜ୍ୟ ମଧ୍ୟରେ କୌଣସି ପାର୍ଥକ୍ୟ ରଖି ନଥିବାରୁ ଆଜିକା ଦିନରେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତାର କୌଣସି ଅର୍ଥ ନାହିଁ। ଗତ ଶୁକ୍ରବାର ଲୋକସଭାରେ ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ, ବି.ବିନୋଦ କୁମାର, ଓ କୌଶଳେନ୍ଦ୍ର କୁମାର ଓଡ଼ିଶା ସମେତ କିଛି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ସମ୍ପର୍କିତ ପଚାରିଥିବା ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶିବ ପ୍ରତାପ ଶୁକ୍ଳା ଏହି ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ସମ୍ପର୍କିତ ନୂତନ ମାନଦଣ୍ଡ ସମ୍ପର୍କରେ ସାଂସଦମାନେ ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶୁକ୍ଳା କହିଛନ୍ତି ଯେ, ଗତବର୍ଷ ନଭେମ୍ବର ୨୭ ତାରିଖରେ ଗଠିତ ପଞ୍ଚଦଶ ଅର୍ଥ କମିସନ ୨୦୨୦ ଏପ୍ରିଲ ୧ରୁ ୨୦୨୫ ମାର୍ଚ୍ଚ ୩୧ ମଧ୍ୟରେ ସ୍ୱତନ୍ତ୍ର ରାଜ୍ୟ ସମ୍ପର୍କିତ ସୁପାରିସ୍‌ ଦେବେ। ନିକଟ ଅତୀତରେ ଓଡ଼ିଶା, ବିହାର, ରାଜସ୍ଥାନ, ଝାଡଖଣ୍ଡ ଓ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କେନ୍ଦ୍ର ନିକଟକୁ ଅନୁରୋଧ ଆସିଛି ଏବଂ ପଞ୍ଚଦଶ ଅର୍ଥ କମିସନ ମଧ୍ୟ ବର୍ତ୍ତମାନ ସୁଦ୍ଧା ୧୦ଟି ଅନ୍ତରୀଣ ବୈଠକ ସାରିଛନ୍ତି ବୋଲି ମନ୍ତ୍ରୀ ଶୁକ୍ଳା କହିଛନ୍ତି।

ସମ୍ବନ୍ଧିତ ଖବର