ମୁମ୍ବାଇରେ ଦିଲ୍ଲୀ ପୁଲିସ ସ୍ପେଶାଲ ସେଲର ଚଢ଼ାଉ, ଜବତ ହେଲା ୧୭୨୫ କୋଟି ଟଙ୍କାର ଡ୍ରଗ୍ସ

ମୁମ୍ବାଇ: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ମୁମ୍ବାଇର ଜବାହରଲାଲ ନେହେରୁ ବନ୍ଦରରୁ ଏକ କଣ୍ଟେନରରେ ପ୍ୟାକ୍ ହୋଇଥିବା ବ୍ୟାପକ ହେରୋଇନକୁ ଜବତ କରିଛି | ଗୁପ୍ତ ସୂଚନା ଆଧାରରେ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉରେ ୩୪୫ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି | ଯାହାର ମୂଲ୍ୟ ୧୭୨୫ କୋଟି ଟଙ୍କା ବୋଲି ଜଣାପଡିଛି | ସେପ୍ଟେମ୍ବର ୬ରେ ଦିଲ୍ଲୀର କାଳିନ୍ଦୀ କୁଞ୍ଜ ଅଞ୍ଚଳରୁ ଗିରଫ ହୋଇଥିବା ଦୁଇ ଆଫଗାନିସ୍ତାନ ନାଗରିକଙ୍କଠାରୁ ଏବାବଦରେ ଜଣାପଡିଥିଲା। ସ୍ପେଶାଲ୍ ସେଲର ସ୍ୱତନ୍ତ୍ର କମିଶନର କହିଛନ୍ତି ଯେ ଏହି ହେରୋଇନ ଜୁନ ୨୧, ୨୦୨୧ ଠାରୁ ଏହି କଣ୍ଟେନରରେ ଥିଲା | ତେବେ କୌଣସି ବି ଏଜେନ୍ସି ଏବାବଦରେ ଜାଣିବାକୁ ପାଇନଥିଲେ |

ଗତ ଶୁକ୍ରବାର ଅର୍ଥାତ୍ ୧୬ ସେପ୍ଟେମ୍ବରରେ ମୁମ୍ବାଇରୁ ଏହି କଣ୍ଟେନରକୁ ଜବତ କରାଯାଇଥିଲା | ଏହା ପରେ ଏହାକୁ ଦିଲ୍ଲୀ ଅଣାଯାଇଥିଲା। ସ୍ୱତନ୍ତ୍ର କମିଶନର କହିଛନ୍ତି ଯେ ଆଫଗାନିସ୍ତାନର ଜଣେ ନାଗରିକ ଯିଏକି ପାକିସ୍ତାନରେ ରହୁଛି ସେ ଏହାକୁ ଭାରତକୁ ପଠାଇଥିଲା |

ଏହି ହେରୋଇନ ପଠାଇବା ପଛରେ ଆଫଗାନିସ୍ତାନର ଏକ କମ୍ପାନୀର ହାତ ଥିବାବେଳେ ଏହି ଡ୍ରଗ୍ସକୁ ଭାରତର ବିଭିନ୍ନ ସ୍ଥାନକୁ ପଠାଇବାର ଥିଲା। ସେପ୍ଟେମ୍ବର ୬ରେ, ଦିଲ୍ଲୀରୁ ଗିରଫ ହୋଇଥିବା ଦୁଇ ଆଫଗାନିସ୍ତାନ ନାଗରିକଙ୍କଠାରୁ ୩୧୨ କିଲୋଗ୍ରାମ ମିଥାମଫେଟାମାଇନ୍ ଡ୍ରଗ୍ସ ମଧ୍ୟ ସ୍ପେଶାଲ୍ ସେଲ୍ ଜବତ କରିଥିଲା। ଅଭିଯୁକ୍ତ ଆଫଗାନିସ୍ତାନ ନାଗରିକ ମୁସ୍ତାଫା ଏବଂ ରହୀମୁଲ୍ଲାଙ୍କୁ ଅଧିକ ପଚରାଉଚୁରା କରିବା ପରେ ଏବାବଦରେ ସୂଚନା ମିଳିଥିଲା |

ସମ୍ବନ୍ଧିତ ଖବର