ଖାଉଟି ବ୍ୟାପାର ବିଭାଗର ସ୍ବତନ୍ତ୍ର ପରିଚ୍ଛନ୍ନତା ଅଭିଯାନ: ଡିଜିଟାଇଜେସନ ପରେ ୭୦୬୧ କାଗଜ ଫାଇଲ ନଷ୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଅଭିଯାନ ୨.୦ ମାଧ୍ୟମରେ ଦପ୍ତର ଓ ଏହାର ପରିସରର ସ୍ୱଚ୍ଛତା ରକ୍ଷା, ସଫେଇ ଓ ଶୋଭାବର୍ଦ୍ଧନ କାର୍ଯ୍ୟ ଦେଶବ୍ୟାପୀ କରାଯାଇଛି । ଏହି ଅଭିଯାନ କାଳରେ ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ, ଜାତୀୟ ଟେଷ୍ଟ ହାଉସ, ଜାତୀୟ ଖାଉଟି ସମବାୟ ମହାସଂଘ ଓ ଜାତୀୟ ଖାଉଟି ଆୟୋଗର କାର୍ଯ୍ୟାଳୟ ସହିତ ମୋଟ ୭୩ଟି ଦପ୍ତରରେ ସ୍ୱଚ୍ଛତା ଓ ପରିଚ୍ଛନ୍ନତା ରକ୍ଷା କାର୍ଯ୍ୟକ୍ରମ ହାତକୁ ନିଆଯାଇ ତାହାକୁ ସମ୍ପୂର୍ଣ୍ଣ କରାଯାଇଛି।

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଆନୁଷ୍ଠାନିକଭାବେ ଆସନ୍ତା ୩୧ ତାରିଖରେ ଶେଷ ହେବ। ଏହି ଅଭିଯାନ କାଳରେ ରେକର୍ଡ ପରିଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ଏଥିରେ ୧୫,୨୮୫ କାଗଜପତ୍ର ଫାଇଲକୁ ଚିହ୍ନଟ କରାଯାଇ ସେଗୁଡ଼ିକର ସମୀକ୍ଷା‌ କାମ ହାତକୁ ନିଆଯାଇଥିଲା। ସମୀକ୍ଷା ହୋଇଥିବା ମୋଟ ୧୩୧୩୧ ଫାଇଲ ମଧ୍ୟରୁ ୭୦୬୧ଟିକୁ ଡିଜିଟାଇଜ କରାଯିବା ପରେ ମୂଳ କାଗଜ ଫାଇଲଗୁଡିକୁ ନଷ୍ଟ କରି ଦିଆଯାଇଛି ।

ସେହିଭଳି ୬୦୨ ଇ-ଫାଇଲକୁ ସମୀକ୍ଷା କରାଯାଇ ଇ-ଅଫିସ ବର୍ଗରେ ୪୭୩ଟିକୁ ବନ୍ଦ କରାଯାଇଛି। ଚିହ୍ନଟ ହୋଇଥିବା ରେକର୍ଡ ପତ୍ର ମଧ୍ୟରୁ ୮୬%କୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି। ଏହି ଅଭିଯାନ କାଳରେ ପୁରୁଣା ଫାଇଲ, ରେକର୍ଡପତ୍ର ଓ ଅନ୍ୟାନ୍ୟ ଅଫିସ ଆବର୍ଜନାକୁ ୨,୩୮, ୨୬୮ ଟଙ୍କାରେ ବିଭାଗ ବିକ୍ରି କରିଛି । ପୁରୁଣା ଫାଇଲ ଓ କାଗଜପତ୍ର ସବୁକୁ ହଟାଇବା ପରେ ବିଭିନ୍ନ ଦପ୍ତରରେ ମୋଟ ୫୧୨୧ ବର୍ଗଫୁଟ ସ୍ଥାନ ମୁକ୍ତ ହୋଇଛି ।
ଏଥି ସହିତ ବିଭାଗ ପକ୍ଷରୁ ସଦର କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ ଦପ୍ତର ପରିସରରେ ବୃକ୍ଷରୋପଣ ଓ ଶୋଭାବର୍ଦ୍ଧନ କାର୍ଯ୍ୟକ୍ରମକୁ ହାତକୁ ନିଆଯାଇଥିଲା । ଏଥିରେ ଦେଶବ୍ୟାପୀ ବିଭିନ୍ନ ଦପ୍ତର ପରିସରରେ ୫୦୦ ଚାରା ରୋପଣ କରାଯାଇଛି।

ସମ୍ବନ୍ଧିତ ଖବର