ନୂଆଦିଲ୍ଲୀ : ଅର୍ଥନୈତିକ ଅପରାଧୀଙ୍କ ଉପରେ ନଜର ରଖିବା ଲାଗି ସେମାନଙ୍କୁ ସ୍ବତନ୍ତ୍ର କୋଡ୍ ପ୍ରଦାନ କରାଯିବ। ସେହି କୋଡ୍କୁ ସେମାନଙ୍କ ପାନ୍ ଓ ଆଧାର ସହ ଲିଙ୍କ୍ କରାଯିବ। ଅର୍ଥନୈତିକ ଅପରାଧ ଅଭିଯୋଗକୁ ସାମ୍ନା କରୁଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାଙ୍କୁ ସେହି କୋଡ୍ ଦିଆଯିବ।
ସଂଖ୍ୟା ଓ ଅକ୍ଷରର ସମିଶ୍ରଣରେ ପ୍ରସ୍ତୁତ ସେହି କୋଡ୍କୁ କମ୍ପ୍ୟୁଟର ଜରିଆରେ ସୃଷ୍ଟି କରାଯିବ ଏବଂ ଅର୍ଥନୈତିକ ଅପରାଧୀଙ୍କ ବିଷୟରେ ପୁଲିସ ପକ୍ଷରୁ ତଥ୍ୟକୁ ଜାତୀୟ ଅର୍ଥନୈତିକ ଅପରାଧ ରେକର୍ଡସ୍ (ଏନ୍ଇଓଆର୍)ରେ ଦାଖଲ କରାଯିବା ପରେ ସେହି କୋଡ୍ ଜାରି କରାଯିବ। ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଏହି କୋଡ୍କୁ ତାଙ୍କ ଆଧାର ନମ୍ବର ସହିତ ଓ କଂପାନି କ୍ଷେତ୍ରରେ ପାନ୍ ସହିତ ଯୋଡ଼ାଯିବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ମଦ ବ୍ୟବସାୟୀ ବିଜୟ ମାଲ୍ୟା, ନିରବ ମୋଦୀଙ୍କ ଭଳି ଅର୍ଥନୈତିକ ଅପରାଧୀମାନଙ୍କୁ ସ୍ବତନ୍ତ୍ର କୋଡ୍ ଦିଆଯିବ। ଆସନ୍ତା ଚାରି ପାଞ୍ଚ ମାସ ଭିତରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ଆସନ୍ତା କିଛି ଦିନ ପରେ ପ୍ୟାରିସ୍ରେ ଅନୁଷ୍ଠିତ ହେବାକୁ ଥିବା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ (ଏଫ୍ଏଟିଏଫ୍) ବୈଠକରେ ଭାରତ ଏହି ପ୍ରକଳ୍ପକୁ ଉପସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି।