୨୪ଘଣ୍ଟାରେ ୩,୮୦୦ ଲୋକଙ୍କୁ ସ୍ଥାନାନ୍ତର କଲା ଆମେରିକା, ଭାରତୀୟଙ୍କୁ ନେଇ ଫେରୁଛି ୨ଟି ବିମାନ

କାବୁଲ: ଆଫଗାନିସ୍ତାନ ତାଲିବାନ ଦଖଲକୁ ଯିବା ପରେ ବିଭିନ୍ନ ଦେଶ ନିଜ ନିଜ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇନେବାକୁ ଚେଷ୍ଟା ଚଳାଇଛନ୍ତି | ଗତ କଛି ଦିନ ହେବ ସ୍ଥାନାନ୍ତର ପ୍ରକ୍ରିୟା ଚାଲିଥିବା ବେଳେ ଆମେରିକା ଗତ ୨୪ଘଣ୍ଟାରେ ୩,୮୦୦ ଲୋକଙ୍କୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି | ଏହା ସହ ବାୟୁସେନା ବିମାନ ଓ ଏୟାରଇଣ୍ଡିଆ ବିମାନ ଜରିଆରେ ଲୋକଙ୍କୁ ଭାରତ ଅଣାଯାଉଥିବା ନେଇ ସୂଚନା ମିଳିଛି |

ଗଣମାଧ୍ୟମରେ ସୂଚନା ଦେଇ ମେଜର ଜେନେରାଲ୍ ୱିଲିୟମ୍ ଟେଲର କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ କାବୁଲ ବିମାନବନ୍ଦରରୁ ଆମେରିକାର ସୈନ୍ୟବାହିନୀ ଏବଂ ଚାଟାର୍ଡ ବିମାନରେ ୩,୮୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ୨୫୦୦ ଆମେରିକୀୟଙ୍କ ସମେତ ୧୭,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସେହିଭଳି ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ୍ କରି କହିଛନ୍ତି ଯେ, ୧୦୭ ଜଣ ଭାରତୀୟଙ୍କ ସମେତ ୧୬୮ ଜଣ ଯାତ୍ରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର ବିମାନ କାବୁଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛି। ଏହା ସହ ୮୭ ଭାରତୀୟ ଏବଂ ଦୁଇ ନେପାଳ ନାଗରିକଙ୍କୁ ନେଇ କାବୁଲରୁ ବାହାରି ତାଜିକିସ୍ତାନରେ ଅଟକିଥିବା ଏକ ଏୟାର ଇଣ୍ଡିଆର ବିମାନ ଏବେ ଦିଲ୍ଲୀର ଟର୍ମିନାଲ-୩ରେ ଅବତରଣ କରିଛି |

ସମ୍ବନ୍ଧିତ ଖବର