ଗୁରୁ ଦିବସରେ ‘ଦି ଇଣ୍ଟେଲେକ୍ଟସ୍‌’ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ: ‘ଆମ ଜୀବନରେ ତାଙ୍କର ଅବଦାନ’

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ଓଡ଼ିଆ ବୁଦ୍ଧିଜୀବୀ ଫୋରମ୍‌ ‘ଦି ଇଣ୍ଟେଲେକ୍ଟସ୍‌’ ପକ୍ଷରୁ ରବିବାର ଅନ୍‌ଲାଇନ୍‌ରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଶ୍ବର ବିଭିନ୍ନ କୋଣରେ ଅବସ୍ଥାନ କରୁଥିବା ବିଶିଷ୍ଟ ଶିକ୍ଷକମାନଙ୍କ ଉପସ୍ଥିତିରେ ଗୁରୁସ୍ମରଣ ଓ ଗୁରୁବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ତଥା ଶିକ୍ଷାବିତ୍‌ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍‌ ତଥା ସାହିତ୍ୟିକ ଦାଶ ବେନହୁର, କେନ୍ଦ୍ରସାହିତ୍ୟ ଅକାଦେମି ପୁରସ୍କାର ସମ୍ମାନିତା ଗାଳ୍ପିକା ଯଶୋଧାରା ମିଶ୍ର, କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ପ୍ରଫେସର୍‌ ଅନ୍ନପୂର୍ଣ୍ଣା ପାଣ୍ଡେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ତାଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ମଣିଷ ଜୀବନର ସର୍ବାଧିକ ପରିବର୍ତ୍ତନଶୀଳ ସୋପାନ ଛାତ୍ରାବସ୍ଥାରେ ଗୁରୁଙ୍କ ସଠିକ୍‌ ମାର୍ଗଦର୍ଶନ ମିଳିପାରିଲେ, ଜୀବନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଫଳତାର ସହ ସାଧିତ ହୋଇଥାଏ ବୋଲି ଅତିଥିମାନେ କହିଥିଲେ।

କାର୍ଯ୍ୟକ୍ରମରେ ଶୈଳବାଳା ସ୍ଵୟଂଶାସିତ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରଫେସର୍‌ ସୁରେଖା ସୁନ୍ଦରୀ ସ୍ବାଇଁ, ନାଇଜର୍‌ର କୁଳସଚିବ ଡ. ଅଭୟ କୁମାର ନାୟକ, ବିଶିଷ୍ଟ ଶିକ୍ଷକ ତଥା ଗବେଷକ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ବିଜ୍ଞାନ ଲେଖିକା ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଡ. ଜ୍ୟୋତିର୍ମୟୀ ମହାନ୍ତି ପ୍ରମୁଖ ନିଜ ନିଜ ଶିକ୍ଷକଙ୍କ ବିଷୟରେ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ବେଳେ ଭାବବିହ୍ଵଳ ହୋଇଯାଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ କାନାଡାରୁ ଡ. ସୁନନ୍ଦା ମିଶ୍ର ପଣ୍ଡା, ମାଲେସିଆରୁ ଡ. ବୀଣାପାଣି ପ୍ରଧାନ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ତଥା ପରିବେଶବିତ୍‌ ଉତ୍କଳ ରଞ୍ଜନ ମହାନ୍ତି, ଶରତ କୁମାର ବାରିକ, ଶାରଦା ପ୍ରସନ୍ନ ଦାସ, ବାବୁରାମ ଚୌଧୁରୀ, ମିଲ୍ଲିପ୍ରଭା ଦାସ, ଗୋଲାପରାଣୀ ସାହୁ, ବସନ୍ତ ମଞ୍ଜରୀ ଦାସ, ବୈଦ୍ୟନାଥ ତ୍ରିପାଠୀ, ନାଗୁଚରଣ ଦେବତା, ଅଧ୍ୟାପକ ପ୍ରତାପ କୁମାର ଲେଙ୍କା, ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ନିଜ ନିଜ ଶିକ୍ଷକଙ୍କୁ ସ୍ମରଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ରବିନାରାୟଣ ଷଡ଼ଙ୍ଗୀ ପ୍ରାରମ୍ଭିକ ସୂଚନା ଓ ଯୁବ ଲେଖକ ପରମବ୍ରହ୍ମ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁ ବନ୍ଦନା ଛାତ୍ରୀ ଶିବାନୀ ମହାନ୍ତି ଗାନ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ଶିକ୍ଷକ କବି ନଗେନ୍ଦ୍ରନାଥ ସ୍ବାଇଁ ତାଙ୍କ ଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ସମସ୍ତ ସମ୍ମାନିତ ଶିକ୍ଷକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର