ଶିଖ ସୈନ୍ୟଙ୍କ ପାଇଁ ତିଆରି ହେଲା ସ୍ବତନ୍ତ୍ର ହେଲମେଟ୍ ‘ବୀର୍’

ନୂଆଦିଲ୍ଲୀ : ଏଣିକି ଭାରତୀୟ ସେନାରେ ଥିବା ଶିଖ ସୈନ୍ୟମାନେ ନିଜ ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ହେଲମେଟ୍ ପିନ୍ଧିପାରିବେ । କାନପୁରରେ ଥିବା ଏକ କମ୍ପାନି ଏଥିପାଇଁ ଏକ ସ୍ବତନ୍ତ୍ର ପ୍ରକାରର ହେଲମେଟ୍ ତିଆରି କରିଛି, ଯାହାକୁ ଶିଖ ସୈନ୍ୟମାନେ ନିଜର ପାରମ୍ପରିକ ପଗଡ଼ି ଉପରେ ପିନ୍ଧିପାରିବେ ।

ଏହି ହେଲମେଟର ନାଁ ରଖାଯାଇଛି ବୀର୍ ଓ ଏହାର ଟେକନିକାଲ ନାଁ ରହିଛି କାଭରୋ ଏସସିଏଚ୧୧୧ । ଏହାକୁ ଏପରି ଡିଜାଇନ କରାଯାଇଛି ଯେ ଏହା ପ୍ରତିକୂଳ ପରିସ୍ଥିତି ଓ ଗୁଳି ଦାଉରୁ ସୈନିକର ମୁଣ୍ଡକୁ ସୁରକ୍ଷା ଦେଇପାରିବ । ଏହାକୁ ନିର୍ମାଣ କରିଛି କାନପୁରସ୍ଥିତ ଗ୍ଲୋବାଲ ଡିଫେନ୍ସ ଏଣ୍ଡ ହୋମଲାଣ୍ଡ ସିକ୍ୟୁରିଟି କମ୍ପାନି ଏମକେୟୁ । ଏହା ମୁଣ୍ଡକୁ ଲେଭଲ-୩ ସ୍ତରୀୟ ସୁରକ୍ଷା ପ୍ରଦାନ କରିଥାଏ । ଏହା ଉଭୟ ବୁଲେଟ୍ ଓ ଅନ୍ୟାନ୍ୟ ବିପଜ୍ଜନକ ବସ୍ତୁ ଦାଉରୁ ମୁଣ୍ଡକୁ ସୁରକ୍ଷା ଦେଇଥାଏ । ଏଥିରେ ସୈନିକମାନଙ୍କ ପାଇଁ ଜରୁରୀ ସେନସର, ଫ୍ଲାସ ଲାଇଟ୍, କମ୍ୟୁନିକେସନ ସିଷ୍ଟମ ଲଗାଯାଇପାରିବ ।

ପୂର୍ବରୁ ଶିଖ ସୈନ୍ୟମାନେ ନିଜର ପଗଡ଼ି ଯୋଗୁଁ ମିଲିଟାରୀ ହେଲମେଟ ପିନ୍ଧିପାରୁନଥିଲେ । ଫଳରେ ସେମାନେ ବିଭିନ୍ନ ବିପଜ୍ଜନକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏବେ ଏହି ସ୍ବତନ୍ତ୍ର ହେଲମେଟ ଆସିବା ପରେ ସେମାନେ ଅଧିକ ସୁରକ୍ଷିତ ମନେକରିବେ ।

ପୂର୍ବରୁ ଭାରତୀୟ ସେନା ଏମକେୟୁ କମ୍ପାନିଠାରୁ ଦେଢ ଲକ୍ଷ ମିଲିଟାରୀ ହେଲମେଟ ଖରିଦ ପାଇଁ ଅର୍ଡର ଦେଇଛି ।

 

ସମ୍ବନ୍ଧିତ ଖବର