ପାଟନା: ବିହାରର ଭିଆଇପି ମଦୁଆଙ୍କ ପାଇଁ ଏବେ ନୂଆ ବ୍ୟବସ୍ଥା କରିଛି ରାଜ୍ୟ ଅବକାରୀ ବିଭାଗ | ଅବକାରୀ ବିଭାଗ ପକ୍ଷରୁ ଏବେ ଭିଆଇପି ଜେଲ ପ୍ରସ୍ତୁତ କରାଯାଇଛି | ଯେଉଁ ଭିଆଇପିମାନେ ସର୍ବସାଧାରଣରେ ମଦ ପିଉଥିବାବେଳେ ପୁଲିସ ହାତରେ ଧରାପଡିବେ ସେମାନଙ୍କୁ ଏଣିକି ଏହି ହାଜତରେ ରଖାଯିବ | ମଦ ବ୍ୟତୀତ ଏହି ହାଜତରେ ହୋଟେଲ ପରି ସୁବିଧା ପ୍ରଦାନ କରାଯିବ | ମିଳିଥିବା ସୂଚନା ମୁତାବକ ବିହାରର ସମସ୍ତିପୁରରେ ଏହି ଜେଲ ନିର୍ମାଣ କରାଯାଇଥିବାବେଳେ ଏହି ହାଜତରେ ଡବଲ ବେଡ଼, ସୋଫା, ଚେୟାର, ଏସି ସମେତ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି |
ବଡ କଥା ଯେ ଏହି ହାଜତରେ ରହୁଥିବା ଲୋକଙ୍କୁ ଜଗିବା ପାଇଁ ଏକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ମଧ୍ୟ ନିୟୋଜିତ କରାଯାଇଛି। ଏହି କୁକୁରମାନେ ହାଇ ପ୍ରୋଫାଇଲ୍ ଲୋକଙ୍କ ଉପରେ ନଜର ରଖିବେ | ଏନେଇ ଅବକାରୀ ବିଭାଗ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ଚୌଧୁରୀ କହିଛନ୍ତି ଯେ ଯଦି କେହି ଜନ ପ୍ରତିନିଧୀ, ସରକାରୀ କର୍ମଚାରୀ କିମ୍ବା ସମାଜର ଜଣେ ସମ୍ମାନିତ ବ୍ୟକ୍ତି ମଦ୍ୟପାନ କରି ଧରାପଡନ୍ତି, ତେବେ ସମସ୍ତିପୁରର ଅବକାରୀ ବିଭାଗ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ଶୀତତାପ ନିୟନ୍ତ୍ରିତ ହାଜତ ବ୍ୟବସ୍ଥା କରାଯାଇଛି | ତେବେ ଅବକାରୀ ବିଭାଗର ଏହି ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯଦି କୌଣସି ଭିଆଇପି ଧରାପଡନ୍ତି, ଯେଭଳି ତାଙ୍କର କୌଣସି ଅସୁବିଧା ନ ହେବ ସେଥିପାଇଁ ଏହି ହାଜତର ଵ୍ୟଵସ୍ଥା କରାଯାଇଛି |