ମୁମ୍ବାଇ: ପ୍ରତିବର୍ଷ ଦିପାବଳୀରେ ଷ୍ଟକ ବଜାରରେ ସ୍ବତନ୍ତ୍ର ମହୁରତ ଟ୍ରେଡିଂ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏବର୍ଷ ଦିପାବଳୀର ତାରିଖକୁ ନେଇ ଦ୍ବନ୍ଦ୍ବ ରହିଥିବାରୁ ମହୁରତ ଟ୍ରେଡିଂର ଶୁଭ ମୂହୂର୍ତ୍ତକୁ ନେଇ ବି ଦ୍ବନ୍ଦ୍ବ ରହିଛି । କ୍ୟାଲେଣ୍ଡରରେ ଅକ୍ଟୋବର ୩୧ରେ ଦିପାବଳୀ ଲେଖାରହିଥିବାବେଳେ ଆଉ କେତେକ ନଭେମ୍ବର ୧ରେ ଦିପାବଳୀ ବୋଲି କହୁଛନ୍ତି । ଏବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ମହୁରତ ଟ୍ରେଡିଂ ସମୟ ସଂପର୍କରେ ଚାଲିିଥିବା ଦ୍ବନ୍ଦ୍ବ ଦୂର କରାଯାଇଛି ।
ଦୀପାବଳି ଅବସରରେ ବିଏସଇ ଏବଂ ଏନଏସଇ ଏକ ଘଣ୍ଟା ପାଇଁ ଏକ ସ୍ୱତନ୍ତ୍ର ଟ୍ରେଡିଂ ଅଧିବେଶନର ଆୟୋଜନ କରିବେ । ଏହା ନୂଆ ବର୍ଷ - ବିକ୍ରମ ସମ୍ବତ ୨୦୮୧ ଆରମ୍ଭର ପ୍ରତୀକ ହେବ। ନଭେମ୍ବର ୧ ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ସ୍ବତନ୍ତ୍ର ମହୁରତ ଟ୍ରେଡିଂ ଅନୁଷ୍ଠିତ ହେବ। ଏହି ଅଧିବେଶନରେ ନୂଆ ହିନ୍ଦୁ କ୍ୟାଲେଣ୍ଡର ବର୍ଷ ମଧ୍ୟ ଆରମ୍ଭ ହେଉଛି । ବିଶ୍ୱାସ କରାଯାଏ ଯେ ଏହି ଶୁଭ ମୁହୂର୍ତ୍ତରେ ବ୍ୟବସାୟ କରିବା ଦ୍ୱାରା ନିବେଶକଙ୍କ ପାଇଁ ସମୃଦ୍ଧି ଏବଂ ଆର୍ଥିକ ଅଭିବୃଦ୍ଧି ହୋଇଥାଏ । ଦୀପାବଳିରେ ନିୟମିତ ବଜାର ବନ୍ଦ ରହିବ, କିନ୍ତୁ ସନ୍ଧ୍ୟାରେ ଏକ ଘଣ୍ଟା ପାଇଁ ସ୍ୱତନ୍ତ୍ର ଟ୍ରେଡିଂ ୱିଣ୍ଡୋ ଖୋଲା ରହିବ।
ବଜାର ଖୋଲିବା ପୂର୍ବରୁ ପ୍ରି-ଓପନିଂ ଅଧିବେଶନ ସନ୍ଧ୍ୟା ୫ଟା ୪୫ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ ବୋଲି ସେୟାର ମାର୍କେଟ ଘୋଷଣା କରିଛି । ବଜାର ବିଶ୍ଳେଷକମାନେ କହିଛନ୍ତି ଯେ ଦୀପାବଳି କିଛି ନୂଆ ଆରମ୍ଭ କରିବା ପାଇଁ ଏକ ଆଦର୍ଶ ସମୟ ବୋଲି ବିବେଚନା କରାଯାଏ ।