ରିଲିଫ କମିସନରଙ୍କ ବୈଠକ ୨୦ରେ, ପ୍ରଥମଥର ଭିଡିଓ କନ୍‌ଫେରେନ୍ସିଂରେ ବୈଠକ ଆୟୋଜନ

ସାମୁଦ୍ରିକ ଝଡ଼ 'ଅମ୍ଫାନ'କୁ ନେଇ ଉପୁଜିଥିବା ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ଏଥର ପ୍ରଥମଥର ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବାର୍ଷିକ ରିଲିଫ କମିସନରମାନଙ୍କର ବୈଠକ ଅନୁଷ୍ଠିତ ଆସନ୍ତା ୨୦ ତାରିଖରେ ଅନୁଷ୍ଠିତ ହେବ। ବୈଠକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦୨୦ର ପ୍ରସ୍ତୁତି ତଥା ଦେଶରେ ବିପର୍ଯ୍ୟୟ ପରିଚାଳନାର ସୁଦୃଢ଼ୀକରଣ ଲାଗି ନିଆଯାଉଥିବା ପଦକ୍ଷେପ ସାମିଲ କରାଯାଇଥିବା ବେଳେ ବର୍ତ୍ତମାନ ସାମୁଦ୍ରିକ ଝଡ଼ ‘ଅମ୍ଫାନ’କୁ ନେଇ ଉପୁଜିଥିବା ସ୍ଥିତି ସମ୍ପର୍କରେ ଆଲୋଚନା କରାଯିବାର ସମ୍ଭାବନା ରହିଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ୨୦୨୦ର ପ୍ରସ୍ତୁତିକୁ ନେଇ ରାଜ୍ୟମାନଙ୍କ ଦ୍ବାରା ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଜାତୀୟ ବିପର୍ଯ୍ୟୟ ରେସ୍‌ପନ୍ସ ଫୋର୍ସର ମହାନିର୍ଦ୍ଦେଶକ, ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ, ଆଇଏମ୍‌ଡିର ବରିଷ୍ଠ ଅଧିକାରୀ ତଥା ଦେଶର ସମସ୍ତ ରାଜ୍ୟର ରିଲିଫ କମିସନରମାନେ ବୈଠକରେ ଭାଗ ନେବେ। ଏଥିସହିତ, କରୋନା ମହାମାରୀ ବେଳେ ଉପୁଜିଥିବା ବାତ୍ୟା ‘ଅମ୍ଫାନ’ ଦୃଷ୍ଟିରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ) ପକ୍ଷରୁ ଓଡ଼ିଶା, ପଶ୍ଚିମବଙ୍ଗ ରାଜ୍ୟକୁ କୋଭିଡ-୧୯ ଦୃଷ୍ଟିରୁ ବିପର୍ଯ୍ୟୟ ପରିଚାଳନାକୁ ନେଇ ପ୍ରସ୍ତୁତ କରାଯାଇଥିବା ଆଡଭାଇଜରି ପଠାଯାଇ ସେହି ଅନୁସାରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି। ଓଡ଼ିଶାରେ ପର୍ଯ୍ୟାପ୍ତ ମାତ୍ରାରେ ବାତ୍ୟା ଆଶ୍ରୟସ୍ଥଳୀ ରହିଥିବାରୁ ସେଥିରୁ ଏକ ତୃତୀୟାଂଶକୁ ସାମାଜିକ ଦୂରତା ଅନ୍ତର୍ଗତ ବ୍ୟବହାର କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର