ରାଞ୍ଚି: ସେମାନେ ବି ଶିବଙ୍କ ଶରଣରେ ପଶିଥିଲେ । ସେମାନେ ବି ନିଷ୍ଠାର ସହ ପାଣି ନେଇ ଯାଇଥିଲେ । ଖାଲି ପାଦରେ ଚାଲିଚାଲି, ପାଣିଭାର ନେଇ ଶିବାଳୟ ଯାଇଥିଲେ । ଖରା, ବର୍ଷାକୁ ଖାତିର ନକରି- ରାତିର ଅନ୍ଧାରକୁ ଚିରି ସେମାନେ ବି ତୁଣ୍ଡରେ ଶିବନାମ ଧରି ଯାଇଥିଲେ ।କେବେ କେବେ ପତଳା ହୋଇଯାଇଥିବା ପାଦର ଚମଡାରେ ଗୋଡ଼ିଟିଏ ବାଜି ମାଟିର ଛାତିରେ ତାଙ୍କ ପାଦରୁ ରୁଧିର ପଡିଥିବ ତ କେବେ ଗୋଇଠିରେ ଗୋଡ଼ିଟିଏ ବାଜି ଆଖିରୁ ଠପ୍ କିନା ଲୁହ ଝରି ପଡିଥିବ ନିଶ୍ଚିତ । ତଥାପି ସେମାନେ ଯନ୍ତ୍ରଣାକୁ କାଟି କାଟି ଆଗେଇ ଯାଇଥିବେ – କଷ୍ଟକୁ କାଟିବାକୁ କହିଥିବେ- ବୋଲ୍ ବମ୍… ହରହର ବମ୍.. ଭୋଲା ବାବା, ପାର କରେଗା.. କିନ୍ତୁ ହାଏ, ସେମାନଙ୍କୁ ପାର୍ କରିପାରିଲେନି ଭୋଳାଶଙ୍କର । କେତେ କଣ ମନାସି ମନ୍ଦିରରୁ ଫେରିବା ବାଟରେ ମାଡ଼ି ବସିଲା ମୃତ୍ୟୁ । ଆଖିବୁଜିଦେଲେ ୧୮ ଜଣ..

Advertisment

ହଁ ଆଜ୍ଞା ! ଦେଓଘର ଦୁର୍ଘଟଣାରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ସମସ୍ତ ବୋଲବମ ଯାତ୍ରୀଙ୍କ ମନରେ ଭୟ ଖେଳାଇ ଦେଇଥିବା ବେଳେ ପ୍ରାଣ ହରାଇଥିବା ୧୮ ଜଣଙ୍କ ପାଇଁ କାନ୍ଦିଛି ଅନେକଙ୍କ ପ୍ରାଣ । କାରଣ ଯେଉଁ ୧୮ ଜଣଙ୍କ ମୃତ୍ୟୁ ହୋଇଛି ସେମାନେ ବି ସତରେ କେତେ କଣ ଭାବି ପାଣି ଭାର ନେଇ ଯାଇଥିବେ । କେତେ ମାନସିକ ରଖି ମହାଦେବଙ୍କ ପୂଜା କରିଥିବେ । ହେଲେ କଣ ହେବ- ଜୀବନକୁ ଘଣ୍ଟ ଘୋଡାଇ ରଖିବାର ସେ ପ୍ରାର୍ଥନା କଣ ସତରେ ଶୁଣିଲେନି ଶିବ ନା ସୁସ୍ଥ ରଖିବାକୁ ଭକ୍ତର ଗୁହାରୀ ବାବାଙ୍କ କାନ ପାଖରେ ପହଞ୍ଚି ପାରିଲାନି । ହେ ପ୍ରଭୁ ଭୋଳା ଶଙ୍କର.. ମତେ ଭଲରେ ରଖ, ମୋ ପରିବାରକୁ ଭଲରେ ରଖ, ମତେ ସବୁ ବିପଦରୁ ରକ୍ଷା କର.. ଏମିତି ହିଁ ତ ମହାଦେବଙ୍କ ପାଖରେ ପାଣି ଢାଳିଲା ବେଳେ ଭକ୍ତଟେ କହିଥିବ । ହେଲେ କାହିଁକି ତା ପ୍ରାର୍ଥନା ନିସ୍ଫଳ ହେଲା ? ଏହାର ଉତ୍ତର କିଏ ଦେବ- ଭକ୍ତିରେ କଣ ଭେଜାଲ ଥାଏ କି ? ଯଦି ଉତ୍ତର ନା ତେବେ କାହିଁକି ଏ ଦୁର୍ଘଟଣା ? କାହାର ଭୁଲ ପାଇଁ ଆଉ କାହିଁକି କିଏ ପାଇବ ଦଣ୍ଡ ? ଦେଓଘର ଦୁର୍ଘଟଣା ଏମିତି କିଛି ପ୍ରଶ୍ନକୁ ସାମ୍ନାକୁ ଆଣିଛି ।

ଆଜି ଭୋର ୪ଟା ୩୦ରେ ଝାଡ଼ଖଣ୍ଡରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି । ବସ୍-ଟ୍ରକ୍ ଧକ୍କାରେ ୧୮ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି । ଜଳାଭିଷେକ କରି ଫେରିବା ବେଳେ ଚାଲିଯାଇଛି ୧୮ ଜଣଙ୍କ ଜୀବନ । ଦୁର୍ଘଟଣାରେ ୨୦ରୁ ଅଧିକ କାଉଡ଼ିଆ ଗୁରୁତର ଆହତ ହୋଇଛନ୍ତି ।  ବୈଦନାଥ ଧାମରେ ପାଣି ଢାଳି ଫେରିବା ଏହି ଦୁର୍ଘଟଣା ହୋଇଥିବା ବେଳେ କେଉଁ କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି । ଡ୍ରାଇଭରଙ୍କ ଆଖି ଲାଗିଯାଇଥିଲା ନା ସେ ନିଶାରେ ଥିଲେ ସେ କଥା ମଧ୍ୟ ପ୍ରଶ୍ନ ଘେରରେ ଆସୁଥିବା ବେଳେ କାଉଡିଆଙ୍କ ପରିଚୟ ମିଳିପାରିନି ।