ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନକୁ ପାନେ ଦେବାପାଇଁ ବଳ କଷି ଚାଲିଛି ଭାରତ। ଆତଙ୍କୀସ୍ତାନ ବୋଲାଉଥିବା ପାକିସ୍ତାନକୁ ଏଥର ଉଭୟ ହାତରେ ଓ ଭାତରେ ମାରିବାକୁ ସବୁପ୍ରକାରର ବଳ ଲଗାଇ ଚାଲିଛି ଭାରତ। ପ୍ରଥମେ ସିନ୍ଧୁ ଜଳ ଚୁକ୍ତି ରଦ୍ଦ କରି ପାଣିରେ ପାକିସ୍ତାନକୁ ଶୋଷିଲା ରଖିବା ପ୍ଲାନ୍ ପାଦେ ଆଗେଇବା ପରେ ଏବେ ଆତଙ୍କୀସ୍ତାନର ମେରୁଦଣ୍ଡ ଭାଙ୍ଗିବାକୁ ମାଷ୍ଟରପ୍ଲାନ୍ କରିଛି ଭାରତ। ଏପରିକି ଭାରତର ପ୍ଲାନ୍-ବି ଯଦି ସଫଳ ହୁଏ ତେବେ ବିନା ଗୁଳି, ବୋମାରେ ଧ୍ବଂସ ହୋଇଯିବ ଶତ୍ରୁ ଦେଶ । ଆସନ୍ତୁ ଜାଣିବା ଏହା କେମିତି ହେବ ସମ୍ଭବ?
ଜମ୍ମୁ-କାଶ୍ମୀର ପହଲଗାମ୍ ଆତଙ୍କୀ ହମଲା ପରେ ପାକିସ୍ତାନଠୁ ପ୍ରତିଶୋଧ ନେବାକୁ ରକ୍ତଚାଉଳ ଚୋବାଉଛି ଭାରତ । ଆତଙ୍କୀଙ୍କ ପାଇଁ ସ୍ବର୍ଗ ପାଲଟିଥିବା ପାକିସ୍ତାନ ଉପରେ ଭିନ୍ନ ଉପାୟରେ ଆକ୍ରମଣ କରିବାକୁ ଘନଘନ ବୈଠକ କରିଚାଲିଛି ଭାରତ । ଆଉ ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ପାକିସ୍ତାନର ମୁଣ୍ଡ ବିନ୍ଧା କଲାଣି । ପାକିସ୍ତାନକୁ ପୁଣିଥରେ ହାତରେ ନୁହେଁ ଭାତରେ ମାରିବାକୁ ଭାରତ ପ୍ଲାନ୍-ବି ପ୍ରସ୍ତୁତ କରିଛି । ଅର୍ଥାତ୍ ପୁଣିଥରେ ପାକିସ୍ତାନକୁ ‘ଗ୍ରେ ତାଲିକା’ରେ ସାମିଲ କରିବା ସହ (ଆଇଏମଏଫ୍) ବା ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ସହାୟତାକୁ ବନ୍ଦ କରିବା ପାଇଁ ସମସ୍ତ ପ୍ରକାରର ବଳ ଲଗାଇଦେଇଛି ଭାରତ ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ବିଶ୍ୱବ୍ୟାପୀ ଆତଙ୍କୀ ପାଣ୍ଠି ଏବଂ ମନି ଲଣ୍ଡରିଂ ଉପରେ ନଜର ରଖୁଥିବା ସଂଗଠନ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ୍ ଫୋର୍ସ ବା ( ଏଫଏଟିଏଫ୍)' ଗ୍ରେ ତାଲିକା'ରେ ପାକିସ୍ତାନକୁ ପୁନଃ ଅନ୍ତର୍ଭୁକ୍ତ କରିବା ପାଇଁ ଅନ୍ୟ ସଦସ୍ୟ ଦେଶମାନଙ୍କଠାରୁ ସମର୍ଥନ ସଂଗ୍ରହ କରୁଛି । ପାକିସ୍ତାନ ଜୁନ୍ ୨୦୧୮ ରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ଏଫ୍ଏଟିଏଫ୍ ‘ଗ୍ରେ ତାଲିକାରେ ଥିଲା, ଯାହାକି ପାକ୍ ପାଇଁ ବିଦେଶୀ ନିବେଶ ଏବଂ ପାଣ୍ଠି ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା ।
ଭାରତର ଦ୍ୱିତୀୟ ପ୍ଲାନ୍ ହେଉଛି (ଆଇଏମଏଫ୍) ବା ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’ ବନ୍ଦ କରି ପାକିସ୍ତାନକୁ ଦିଆଯାଉଥିବା ୭ ବିଲିୟନ ଡଲାର ସହାୟତା ଉପରେ ରୋକ୍ ଲଗାଇବା । ଏହି ଆର୍ଥିକ ସହାୟତା ଶତ୍ରୁଦେଶକୁ ୨୦୨୪ ଜୁଲାଇରୁ ଆରମ୍ଭ ହୋଇଛି ଏବଂ ଏହା ୩୭ ମାସ ଯାଏ ଜାରି ରହିବାର ଚୁକ୍ତି ହୋଇଛି ।
ଆଉ ଏହି ‘ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି’କୁ ପାକିସ୍ତାନ ଆତଙ୍କବାଦ ଏବଂ ବେଆଇନ କାର୍ଯ୍ୟକଳାପ ପାଇଁ ବ୍ୟବହାର କରୁଛି ବୋଲି ଭାରତ ବିଶ୍ବସ୍ତରରେ ଅଭିଯୋଗ କରିଛି । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ମେ' ମାସରେ ହେବାକୁ ଥିବା ଆଇଏମଏଫ୍ ବୋର୍ଡ ବୈଠକରେ ଏହି ପ୍ରସଙ୍ଗ ଉଠାଇବାକୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି ଭାରତ।