ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଇଚ୍ଛା ଦେଲା ସଫଳତା, ଜାଣନ୍ତୁ ଆୟୁଷଙ୍କ କାହାଣୀ

ନୂଆଦିଲ୍ଲୀ: ସଫଳତା ପାଇବେ ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ | କିଛି ଏଭଳି ସ୍ୱପ୍ନ ଦେଖି ପାଠପଢ଼ାରେ ଲାଗିପଡ଼ିଥିଲେ ଗାଜିଆବାଦର ଆୟୁଷ ତେୱାଟିଆ | ଆଉ ଆଜି ଆୟୁଷ ସଫଳତା ପାଇଛନ୍ତି | ସେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ଜେଇଇ ଆଡଭାନ୍ସଡରେ ୩୪୫ ରାଙ୍କ ହାସଲ କରିଛନ୍ତି | ୭ ବର୍ଷ ବୟସରେ ଆୟୁଷ ତେୱାଟିଆଙ୍କ ପିତା ତାଙ୍କ ପୁଅକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ସ୍ୱପ୍ନ ବାବଦରେ କହିଥିଲେ। ଏହାକୁ ପୂରଣ କରିବା ପାଇଁ ଆୟୁଷ ଦିନରାତି ପରିଶ୍ରମ କରିଥିଲେ | ଆୟୁଷଙ୍କ ପିତା ଓମପ୍ରକାଶ ତେୱାଟିଆ ଦିଲ୍ଲୀ ପୁଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି।

ତାଙ୍କ କହିବା ମୁତାବକ ୨୦୧୦ରେ ତାଙ୍କୁ କମନୱେଲଥ ଗେମ୍ସର ସୁରକ୍ଷା ପାଇଁ ନିୟୋଜିତ କରାଯାଇଥିଲା। ସେତେବେଳେ ଦଶମ ଏବଂ ଦ୍ୱାଦଶରେ ଭଲ ମାର୍କ ରଖିଥିବା ପିଲାମାନେ ପଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର ଏକ ସୁଯୋଗ ପାଇଥିଲେ | ଏହି ଦୃଶ୍ୟ ଦେଖିବା ପରେ ସେ ନିଜ ପୁଅ ଆୟୁଷଙ୍କୁ ଏବାବଦରେ କହିଥିଲେ | କିଭଳି ଭଲ ପାଠ ପଢିଲେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିହେବ ସେ ନେଇ ପ୍ରେରଣା ଦେଇଥିଲେ | ଆଉ ବାପାଙ୍କର ସ୍ୱପ୍ନ ପୂରଣ କରିବାକୁ ୭ ବର୍ଷୀୟ ଆୟୁଷ ଲାଗିପଡ଼ିଥିଲେ | ସେ ୪ ବର୍ଷ ହେଲା ଆଇଆଇଟି ପାଇଁ ପ୍ରସ୍ତୁତ ହେଉଥିଲେ। ଆୟୁଷ କହିଛନ୍ତି ଯେ ସେ ଆଇଆଇଟି ରୁର୍କିରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ କରିବେ।

ଆୟୁଷ କହିଛନ୍ତି ଯେ ଆଇଆଇଟି ପ୍ରସ୍ତୁତି ପାଇଁ ଏକ ଘରୋଇ କୋଚିଂ ସେଣ୍ଟରରେ କୋଚିଂ ନେବା ପରେ ସେ ଘରେ ପ୍ରାୟ ୧୦ ରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ପ୍ରସ୍ତୁତ ହେଉଥିଲେ। ସୂଚନା ଥାଉ କି ଆଜି ଜେଇଇ ଆଡଭାନ୍ସଡ ୨୦୨୧ ରେଜଲ୍ଟ ପ୍ରକାଶ ପାଇଥିଲା | ମୋଟ ୩୬୦ ନମ୍ବରରୁ ୩୪୮ ନମ୍ବର ରଖି ଜୟପୁରର ମୃଦୁଲ ଅଗ୍ରଓ୍ୱାଲ ଟପ୍ପର ହୋଇଥିଲେ | ମୋଟ୍ ୧,୪୧,୬୯୯ ଜଣ ପରୀକ୍ଷା ଦେଇଥିଲେ ଓ ସେଥିମଧ୍ୟରୁ ୪୧,୮୬୨ ଜଣ କୃତକାର୍ଯ୍ୟ ହୋଇଛନ୍ତି |

ସମ୍ବନ୍ଧିତ ଖବର