ସ୍ୱତନ୍ତ୍ର ରେଳଗାଡ଼ିକୁ ସୁପରସ୍ପ୍ରେଡ଼ର କହିଲା କେରଳ

ତିରୁଅନନ୍ତପୁରମ୍‌ : ସ୍ୱତନ୍ତ୍ର ରେଳଗାଡ଼ିରେ ଯାତ୍ରୀ ପରିବହନ ଉପରେ ମହାରାଷ୍ଟ୍ର ପରେ ବାମପନ୍ଥୀ ଶାସିତ କେରଳ ପ୍ରଶ୍ନ ଉଠାଇଛି। ବିନା ସୂଚନାରେ ରାଜ୍ୟକୁ ରେଳଗାଡ଼ିରେ ଯାତ୍ରୀ ଛାଡ଼ିବା ଦ୍ୱାରା କରୋନାଭୂତାଣୁ ନିୟନ୍ତ୍ରଣ ରଣନୀତି ବିଗିଡ଼ି ଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ୍‌ କହିଛନ୍ତି। କାରଣ କେରଳ, ଏହି ଭୂତାଣୁର ସଂକ୍ରମଣକୁ ରୋକିବାରେ ଭଲ କାମ କରୁଛି ବୋଲି ବିଦେଶୀ ଗଣମାଧ୍ୟମ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ମର୍ମରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି।

କେରଳ ଅର୍ଥ ମନ୍ତ୍ରୀ ଥୋମାସ୍‌ ଆଇଜାକ୍‌ କହିଛନ୍ତି ଯେ କେରଳରେ ରୋଗ ସଂକ୍ରମଣ କରାଇବାରେ ରେଳବାଇ ସୁପରସ୍ପ୍ରେଡର ହେବାକୁ ଯାଉଛି। ରାଜ୍ୟରେ ୮୯୬ କରୋନାଭୂତାଣୁ ସଂକ୍ରମଣ ମାମଲା ରହିଥିବା ବେଳେ ତହିଁରୁ ୭୨ ଜଣ ମହାରାଷ୍ଟ୍ରରୁ ଫେରିଛନ୍ତି। ସେହିଭଳି ୭୧ ଜଣ ତାମିଲନାଡୁ ଫେରନ୍ତା ଏବଂ ୩୫ ଜଣ ତେଲେଙ୍ଗାନା ଫେରନ୍ତାଙ୍କ ଠାରେ କରୋନାଭୂତାଣୁ ଠାବ ହୋଇଛି। ମଙ୍ଗଳବାର ଯେଉଁ ୬୭ ମାମଲା ଯୋଗ ହୋଇଛି, ତହିଁରୁ ୨୭ ଜଣ ହେଉଛନ୍ତି ବିଦେଶରୁ ବାହୁଡ଼ିଥିବା ଭାରତୀୟ ଏବଂ ୩୩ ଜଣ ହେଉଛନ୍ତି ଅନ୍ୟ ରାଜ୍ୟରୁ ଆସିଥିବା କେରଳୀ। ତାଙ୍କ ରାଜ୍ୟର ଲୋକମାନେ ଫେରିବା ଉପରେ ବିଜୟନ୍‌ଙ୍କର କିଛି ଅଭିଯୋଗ ନାହିଁ, କିନ୍ତୁ ପୂର୍ବରୁ ଯଥେଷ୍ଟ ସୂଚନା ଥିବା ଆବଶ୍ୟକ। କାରଣ ମୁମ୍ବାଇରୁ ଏକ ରେଳଗାଡ଼ି ଆସିଲା କେରଳକୁ। କିନ୍ତୁ କେରଳ ପ୍ରଶାସନ ପାଖରେ ସେଥିନେଇ କୌଣସି ସୂଚନା ନଥିଲା। ଯାତ୍ରୀମାନେ ରେଳଷ୍ଟେସନରେ ସ୍କ୍ରିନିଂ ହେଉଛନ୍ତି ଏବଂ ସେଇଠୁ ସେମାନଙ୍କୁ ଗୃହ ସଙ୍ଗରୋଧରେ ପଠାଯାଉଛି। ଯାତ୍ରୀମାନଙ୍କ ତାଲିକା ଆଗରୁ ପାଇଲେ, ସବୁ ବ୍ୟବସ୍ଥା ଆଗତୁରା କରାଯାଇପାରନ୍ତା ବୋଲି ବିଜୟନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର