‘କରୋନା’ ମୁକାବିଲା: ଚୀନ୍‌ରୁ ଫେରୁଥିବା ଭାରତୀୟଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ନୂଆଦିଲ୍ଲୀ: ଚୀନ୍‌ରୁ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଭାରତ ଫେରୁଥିବା ଭାରତୀୟଙ୍କ ପାଇଁ ସେନା ଏବଂ ଆଇଟିବିପି ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ହରିୟାଣାର ମନେସରରେ ଭାରତୀୟଙ୍କ ଚିକିତ୍ସା ପାଇଁ ସେନା ଦ୍ବାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେନା ଦ୍ବାରା ଯେଉଁ ବ୍ୟବସ୍ଥା କରାଯାଇଛି ‌ସେଠାରେ ୩୦୦ ଲୋକଙ୍କୁ ସ୍ବତନ୍ତ୍ର ନିରୀକ୍ଷଣ ବ୍ୟବସ୍ଥାରେ ରଖାଯିବ। ଭାରତରେ ପହଞ୍ଚିବାପରେ ଭାରତୀୟମାନଙ୍କୁ ଏଏଚ୍‌ଓ (ଏୟାରପୋର୍ଟ ହେଲ୍‌ଥ ଅଥରିଟି) ଏବଂ ଏଏଫ୍‌ଏମଏସ୍‌ (ଆର୍ମଡ୍‌ ଫୋର୍ସେସ୍‌ ମେଡିକାଲ ସର୍ଭିସେସ୍‌)ର ମିଳିତ ଟିମ୍‌ ଦ୍ବାରା ବିମାନବନ୍ଦରରେ ଭଲଭାବେ ଯାଞ୍ଚ କରାଯିବ। ତେବେ ଏହାପ‌ରେ ଯେଉଁମାନଙ୍କଠାରେ ଭାଇରସ୍‌ର ଲକ୍ଷଣ ଦେଖାଯିବ ସେମାନଙ୍କୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା‌ରେ ୨ ସପ୍ତାହ ପାଇଁ ରଖାଯିବ। ସ୍ବତନ୍ତ୍ର ଡାକ୍ତରୀ ଦଳ ଏବଂ ମେଡିକାଲ କର୍ମୀ ଏମାନଙ୍କୁ ଚିକିତ୍ସା କରିବେ। ତେବେ ସ୍କ୍ରିନିଂ ସମୟରେ ଭାରତୀୟମାନଙ୍କୁ ୩ ଭାଗରେ ବିଭକ୍ତ କରାଯିବ। ଯେଉଁମାନେ ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯିବ ସେମାନଙ୍କୁ ପ୍ରଥମ ଶ୍ରେଣୀରେ ରଖାଯିବ ଏବଂ ସେମାନଙ୍କୁ ସିଧାସଳଖ ବିଏଚ୍‌ଡିଏସ୍‌ (ବେସ୍‌ ହସ୍ପିଟାଲ୍‌ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ୍‌)କୁ ପଠାଯିବ।

ଦ୍ବିତୀୟ ଶ୍ରେଣୀରେ ଯେଉଁମାନଙ୍କଠାରେ ଭାଇରସ୍‌ର କିଛି ଲକ୍ଷଣ ଦେଖାଯାଉନଥିବ କିନ୍ତୁ ସେମାନେ ଉହାନ୍‌ର ସିଫୁଡ୍‌ ଏବଂ ଏନିମଲ୍‌ ମାର୍କେଟ୍‌ ଯାଇଥିବେ ଓ ଗତ ୧୪ ଦିନ ମଧ୍ୟରେ ଚୀନ୍‌ରେ ଭାଇରସ୍‌ ଲକ୍ଷଣ ଦେଖାଦେଇଥିବା ଲୋକଙ୍କ ସହ ମିଶିଥିବେ ସେମାନଙ୍କୁ ସିଧାସଳଖ ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ। ତୃତୀୟ ଶ୍ରେଣୀରେ ଭାଇରସ୍‌ ଲକ୍ଷଣ ଦେଖା ଦେଇନଥିଲେ ମଧ୍ୟ କୌଣସି ଭାଇରସ୍‌ ଆକ୍ରାନ୍ତ ଲୋକଙ୍କ ସହ ମିଶିନଥିବା ଭାରତୀୟଙ୍କୁ ମଧ୍ୟ ସିଧାସଖଳ ସେନା ଦ୍ବାରା ହୋଇଥିବା ସ୍ବତନ୍ତ୍ର ବ୍ୟବସ୍ଥାକୁ ପଠାଯିବ। ଯେଉଁମାନେ ସ୍ବତନ୍ତ୍ର ବ୍ୟବସ୍ଥାରେ ରହିବେ ସେମାନେ ୩ ସ୍ତରୀୟ ମାସ୍କ ପିନ୍ଧିବେ ଏବଂ ସେମାନଙ୍କର ନିୟମିତ ମେଡିକାଲ ପରୀକ୍ଷା କରାଯିବ। ଯଦି ୧୪ ଦିନ ପରେ ସେମାନଙ୍କ ଠାରେ କୌଣସି ଭାଇରସ୍‌ ଲକ୍ଷଣ ଦେଖା ନଯାଏ ତେବେ ସେମାନଙ୍କୁ ଘରକୁ ପଠାଯିବ। ତେବେ ଯଦି ସ୍ବତନ୍ତ୍ର ବ୍ୟବସ୍ଥାରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରେ ଭାଇରସ୍‌ ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ବିଏଚଡିଏସ୍‌ ସ୍ବତନ୍ତ୍ର ୱାର୍ଡକୁ ପଠାଯିବ। ଏଠାରେ କମ୍ୟୁନିଟି ମେଡିସିନ୍‌ ସ୍ପେସାଲିଷ୍ଟ୍‌, ନର୍ସିଂ ଅଧିକାରୀ, ମେଡିକାଲ ଅଧିକାରୀ ଏବଂ ଅନ୍ୟ ଷ୍ଟାଫ୍‌ ସଦସ୍ୟମାନେ ରହିବେ।

‌ସେହିପରି ଆଇଟିବିପି ଦ୍ବାରା ମଧ୍ୟ ଦକ୍ଷିଣ ପଶ୍ଚିମ ଦିଲ୍ଲୀରେ ଏକ ୬୦୦ ବେଡ୍‌ ବିଶିଷ୍ଟ ସ୍ବତନ୍ତ୍ର ବ୍ୟବସ୍ଥା‌ କରାଯାଇଛି। ମହିଳା ଏବଂ ଶିଶୁମାନଙ୍କ ପାଇଁ ଏଠାରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଉହାନ୍‌ରୁ ଫେରୁଥିବା ଭାରତୀୟମାନଙ୍କୁ ଏହି ସ୍ବତନ୍ତ୍ର ବ୍ୟବସ୍ଥାରେ ରଖାଯିବ।

ସମ୍ବନ୍ଧିତ ଖବର