ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଦୁଇଟି ଭାଷାରେ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ‘ଲୋକତନ୍ତ୍ର କେ ସ୍ବର’ ଏବଂ ‘ଦ ରିପବ୍ଲିକାନ୍ ଏଥିକ୍’ ଶୀର୍ଷକ ପୁସ୍ତକଦ୍ବୟ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସୁନିର୍ବାଚିତ ତଥା ସୁସମ୍ପାଦିତ ବକ୍ତୃତାମାଳାର ସଂକଳନ ମାତ୍ର। କୋବିନ୍ଦଙ୍କ ରାଷ୍ଟ୍ରପତିତ୍ବର ଚତୁର୍ଥ ବର୍ଷରେ ପ୍ରକାଶିତ ଏହି ପୁସ୍ତକ ହେଉଛି ତାଙ୍କ ବକ୍ତୃତାମାଳା ସିରିଜ୍ର ଚତୁର୍ଥ ଖଣ୍ଡ।
ପୁସ୍ତକ ଉନ୍ମୋଚନ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଲେ, ରାଷ୍ଟ୍ରପତି କୋବିନ୍ଦଙ୍କ ଚତୁର୍ଥ ବର୍ଷ ଭାଷଣର ସଂକଳନ ପ୍ରକାଶ ପାଇବା ଦେଶ ପାଇଁ ଶୁଭ ସୂଚକ। ଏହି ପୁସ୍ତକରେ ଜନସେବା, ନୈତିକତା, ଶିକ୍ଷା, ଯୁବବର୍ଗଙ୍କ ଉଚ୍ଚାଭିଳାଷ, ସମସାମୟିକ ବିଶ୍ବ ପ୍ରସଙ୍ଗ ପ୍ରଭୃତି ନାନା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ଚିନ୍ତାଧାରା ପ୍ରକଟିତ ହୋଇଛି। ଏହି ପୁସ୍ତକ ଜନସାଧାରଣଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାକୁ ସମୃଦ୍ଧ କରିବ ଏବଂ ଦେଶକୁ ଅମୃତ କାଳ ଆଡ଼କୁ ନେବାରେ ବତିଘର ସଦୃଶ କାମ କରିବ।
ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ, ରାଷ୍ଟ୍ରପତିଙ୍କ ଭାଷଣଗୁଡ଼ିକ ହେଉଛି ଆମ ଐତିହ୍ୟ, ଆମର ଉଚ୍ଚ ପରମ୍ପରାର ଅଂଶ। ଭାଷଣ ମାଧ୍ୟମରେ ସେ ଭାରତର ସବୁ ଦିଗକୁ ତୋଳି ଧରିଛନ୍ତି। ଏହି ଅବସରରେ ସେ ଠିକ୍ ସମୟରେ ପୁସ୍ତକଟି ପ୍ରକାଶ କରିପାରିଥିବା ନିଜ ମନ୍ତ୍ରଣାଳୟର ପ୍ରକାଶନ ବିଭାଗକୁ ପ୍ରଶଂସା କରିଥିଲେ ଏବଂ ଏଥି ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/book.jpg)