ପୁରୀ: କରୋନା ମହାମାରୀ କବଳରୂ ବିଶ୍ବକୁ ମୁକ୍ତି ଦେବା ଲାଗି ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଦେବା ଅବସରରେ ଉଦବୋଧନ ଦେଇ କହିଛନ୍ତି, ବିଶ୍ବର ବିଭିନ୍ନ ଆସ୍ଥା ପଛରେ ଈଶ୍ବର ଭକ୍ତି ରହିଛି । ମାନବତାକୁ ଆସ୍ଥା ଆଧାରରେ ବାଣ୍ଟି ହେବନି। ସତ୍ୟ ଏକ, ଏହାକୁ ବାଣ୍ଟି ହେବ ନାହିଁ।ବ୍ୟକ୍ତିକୁ ସବୁ ବେଳେ ଈଶ୍ବରଙ୍କ ସ୍ମରଣ କରିବା ଉଚିତ। ସେ ତାଙ୍କ ଭାଷଣରେ ଚୈତନ୍ୟ ମହାପ୍ରଭୁଙ୍କ ମହାଭାବ ସଂପର୍କରେ ବର୍ଣ୍ଣନା କରିଥିଲେ। ଏଥିସହ ଭକ୍ତ ମୀରାବାଈ, କବୀର ଓ ସୁରଦାସ, ସନ୍ଥ ତୁଳସୀ ଦାସ, ଶ୍ରୀରାମାନୁଜାଚାର୍ଯ୍ୟ, ଗୁରୁ ନାନକ, ଶଙ୍କର ଦେବ, ନରସୀ ମେହତା, ନାରାୟଣ ଭଟ୍ଟ, ସନ୍ଥ ତୁକାରାମ, ଏକନାଥ, ଜ୍ଞାନେଶ୍ବରଙ୍କୁ ଆଦିଙ୍କୁ ବି ସ୍ମରଣ କରିଛନ୍ତି ରାଷ୍ଟ୍ରପତି।
/sambad/media/post_attachments/wp-content/uploads/2022/02/1ad13635-d50e-4b43-b8ab-98d1eae31c13.jpg)
ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ତାଙ୍କର ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଥିଲେ। ଏହି ଅବସରରେ ଏକ ସ୍ମରଣିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉନ୍ମୋଚନ କରିଛନ୍ତି।
ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦ୍ଘାଟନ କରିବା ପୂର୍ବରୁ ରାଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯାଇଥିଲେ। ପୂର୍ବାହ୍ଣ ୧୦ଟା ୩୫ରେ ସେଠାରେ ପହଞ୍ଚିଥିଲେ। ସେଠାରେ ଥିବା ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିଛନ୍ତି। ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ଜାଳିଛନ୍ତି। ତେଣୁ ମଠ ଓ ମନ୍ଦିର ପରିସରରେ ମହାମହିମଙ୍କୁ ସ୍ବାଗତ ଲାଗି ସୁନ୍ଦର ସାଜସଜା କରାଯାଇଥିଲା। ଫୁଲ ସହ ବିଭିନ୍ନ ସନ୍ଥଙ୍କ ଫଟୋ ଚିତ୍ର ସଜାଇ ରଖାଯାଇଛି। ପୁଷ୍ପାଞ୍ଜଳି ଅର୍ପଣ ପରେ ଆପାତତଃ କିଛି ଶୁଖିଲା ପ୍ରସାଦ ରାଷ୍ଟ୍ରପତି ସେବନ କରିପାରନ୍ତି ବୋଲି ଶୁଦ୍ଧାଦ୍ବୈତୀ ମହାରାଜ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଶ୍ରୀଚୈତନ୍ୟ ଗୌଡ଼ୀୟ ମଠରେ ଆୟୋଜିତ ଏହି ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ଘାଟନ କରିବାକୁ ଆସିଥିଲେ ହେଁ ଏହି ମଠକୁ ଆସିବାରେ ସେ ଦ୍ବିତୀୟ ରାଷ୍ଟ୍ରପତି। ତାଙ୍କ ପୂର୍ବରୁ ୧୯୮୬ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏହି ମଠ ପରିଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/President-to-Jagannath_Thumbnail.jpg)