ମୁମ୍ବାଇ: ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ଶନିବାର ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ତାଙ୍କ  ଭାଇ ରାଜ୍‌ ଠାକରେଙ୍କ ସହ ‌ଗୋଟାଏ ମଞ୍ଚରେ ନଜର ଆସିଛନ୍ତି। ଏହାକୁ ନେଇ ସେ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି। ଉଦ୍ଧବ କହିଛନ୍ତି ‘‘ଆମେ ଏକାଠି ହୋଇଛୁ ଓ ଏକାଠି ରହିବୁ’’।

Advertisment

ତ୍ରିଭାଷା ସୂତ୍ର ଲାଗୁ ନୀତି ପ୍ରତ୍ୟାହାର ଉତ୍ସବକୁ ପାଳନ କରିବା ପାଇଁ ମୁମ୍ବାଇରେ ଆୟୋଜିତ ଏକ "ମେଗା ବିଜୟ" ରାଲିକୁ ସମ୍ବୋଧିତ କରି ଉଦ୍ଧବ ଠାକରେ କହିଛନ୍ତି କି ଭାଷଣ ଅପେକ୍ଷା ସେମାନଙ୍କର ଏକତ୍ର ହେବା ଅଧିକ ଗୁରୁତ୍ୱପୂର୍ଣ୍ଣ। ସେ ଆହୁରି ବି କହିଛନ୍ତି "ଗୋଟିଏ କଥା ସ୍ପଷ୍ଟ, ଆମେ ଆମ ମଧ୍ୟରେ ଦୂରତା ଦୂର କରିଛୁ,"। 

ଉଲ୍ଲେଖଯୋଗ୍ୟ, ଦୁଇ ଭାଇ ଶେଷ ଥର ପାଇଁ ୨୦୦୫ ମସିହାରେ ଏକ ନିର୍ବାଚନ ପ୍ରଚାର ସମୟରେ ମଞ୍ଚ ଏକତ୍ର ନଜର ଆସିଥିଲେ। ତା’ପରେ ରାଜ ଠାକରେ ସେହି ବର୍ଷ ଶିବସେନା ଛାଡି ୨୦୦୬ ମସିହାରେ ଏମ୍‌ଏନ୍‌ଏସ୍‌ ପ୍ରତିଷ୍ଠା କରିଥିଲେ।

ଏପଟେ ଦୁଇ ଭାଇଙ୍କ ମହାମିଳନକୁ ନେଇ ରାଜ୍‌ ଠାକ୍‌ରେ କହିଛନ୍ତି, ‘‘ମହାରାଷ୍ଟ୍ର ଯେକୌଣସି ରାଜନୀତି ଏବଂ ଲଢ଼େଇ ଅପେକ୍ଷା ବଡ଼। ଆଜି ୨୦ ବର୍ଷ ପରେ ଉଦ୍ଧବ ଏବଂ ମୁଁ ଏକାଠି ହୋଇଛୁ। ବାଲାସାହେବ ଯାହା କରିପାରିଲେ ନାହିଁ, ଦେବେନ୍ଦ୍ର ଫଡନାଭିସ୍ ତାହା କରି ଦେଖାଇଲେ; ଆମ ଉଭୟଙ୍କୁ ଏକାଠି କରିବାର କାମ’’।