ସଂସଦରେ ଏସପିଜି ସଂଶୋଧନ ବିଲ ଗୃହୀତ: ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥାଏ

ନୂଆଦିଲ୍ଲୀ: ଆଜି ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ-ଏସପିଜି (ସଂଶୋଧନ) ବିଲ, ୨୦୧୯ ଅନୁମୋଦନ ଲାଭ କରିଛି । ଏହି ବିଲ ସମ୍ପର୍କରେ ହୋଇଥିବା ବିତର୍କରେ ଉତ୍ତର ରଖି କେନ୍ଦ୍ର ଗୃହ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ମୂଳ ଆଇନର ଉଦ୍ଦେଶ୍ୟ ଅନୁଯାୟୀ, ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛି । କାରଣ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାରର ମୁଖ୍ୟ । ତେଣୁ ଏହା ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ ସୁରକ୍ଷା ବ୍ୟବସ୍ଥା କରିବା ସହିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଆବାସକୁ ସୁରକ୍ଷା ଦେଇଥାଏ । ଏହା ସମ୍ମାନର ପ୍ରତୀକ ହେବା ଉଚିତ ନୁହେଁ ଏବଂ ଏହି ବ୍ୟବସ୍ଥାରେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ ପରିବାରକୁ ସୁରକ୍ଷା ଦେବା ଲାଗି ସ୍ବତନ୍ତ୍ର ସୁରକ୍ଷାବାହିନୀକୁ  ନିୟୋଜିତ କରାଯିବା ଉଚିତ ନୁହେଁ । ଶ୍ରୀ ଶାହ ଆହୁରି କହିଥିଲେ ଯେ ୧୩୦ କୋଟି ଭାରତବାସୀଙ୍କସୁରକ୍ଷା ଦାୟିତ୍ୱ ଭାରତ ସରକାରଙ୍କର ଏବଂ ଏମାନଙ୍କ ମଧ୍ୟରେ ସମ୍ପୃକ୍ତ ପରିବାର ମଧ୍ୟ ଆସୁଛନ୍ତି ।

Rajya sabha Tv

ଗୃହ ମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସାଧାରଣରେ ଏପରି ଏକ ଧାରଣା ସୃଷ୍ଟି କରାଯାଉଛି ଯେ କେବଳ ଗାନ୍ଧୀ ପରିବାରଠାରୁ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ଉଦେଶ୍ୟରେ  ଏସପିଜି ଆଇନରେ ସଂଶୋଧନ କରାଯାଉଛି । ମାତ୍ର ଏହା ସତ୍ୟ ନୁହେଁ । ଗାନ୍ଧୀ ପରିବାର ସୁରକ୍ଷା ସ୍ତର ପ୍ରତ୍ୟାହାର କରାଯାଉନାହିଁ ବରଂ ପରିବର୍ତ୍ତନ କରାଯାଉଛି । ଏହାକୁ ଏସପିଜିରୁ ବଦଳାଇ ଜେଡପ୍ଲସ ସହିତ ଏଏସଏଲ (ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା) ଏବଂ ୨୪ ଘଂଟିଆ ଆମ୍ବୁଲାନ୍ସ ବ୍ୟବସ୍ଥାରେ ପରିଣତ କରାଯାଇଛି । ଆଇନର ପୁରୁଣା ବ୍ୟବସ୍ଥା ଆଧାରରେ ବିପଦ ଆଶଙ୍କାକୁ ଦେଖି ଏହା କରାଯାଇଛି ଏବଂ ଉକ୍ତ ପରିବାରକୁ ଦେଶର ଗୃହ ମନ୍ତ୍ରୀଙ୍କ ଭଳି ସୁରକ୍ଷା ବ୍ୟବସ୍ଥା ଦିଆଯାଇଛି । ତେଣୁ ଗୃହ ମନ୍ତ୍ରୀ ଜୋର ଦେଇ କହିଥିଲେ ଯେ ଗୋଟିଏ ପରିବାର ବିରୋଧରେ ରାଜନୈତିକ ପ୍ରତିଶୋଧ ଭାବନାର ପ୍ରଶ୍ନ ଉଠୁନାହିଁ । ସେମାନଙ୍କ ସୁରକ୍ଷାରେ ଏପରି ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି ଯେଉଁମାନେ ସେମାନଙ୍କ କ୍ୟାରିଅରରେ ଏସପିଜି ତାଲିମ ନେଇଛନ୍ତି ।

ବିରୋଧୀଙ୍କ ପକ୍ଷରୁ ହେଉଥିବା ସମାଲୋଚନାକୁ ଖଣ୍ଡନ କରି ଶ୍ରୀ ଶାହ କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ୱାରା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ହିଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବେ । କାରଣ ତାଙ୍କର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳ ସରିବା ମାତ୍ରେ ସେ ଏସପିଜି ସୁରକ୍ଷା ହରାଇବେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ପୂର୍ବରୁ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଏସପିଜି ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି, ମାତ୍ର ସେତେବେଳେ କେହି ଏହାର ପ୍ରତିବାଦ କରିନଥିଲେ । ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ସୁରକ୍ଷା ଭଙ୍ଗ ସମ୍ପର୍କରେ ପ୍ରତିକ୍ରିୟା ରଖି ଶ୍ରୀ ଶାହ କହିଥିଲେ ଯେ ଆଗନ୍ତୁକ ଲୋକମାନେ କଂଗ୍ରେସ ଦଳର କର୍ମୀ ଥିଲେ । ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଭିତରକୁ ଯିବା ଲାଗି ଅନୁମତି ଦେଇଥିଲେ । ଏହା ସତ୍ୱେ ସରକାର ଏହି ମାମଲାର ଉଚ୍ଚସ୍ତରୀୟ ତଦନ୍ତ ଆଦେଶ ଦେଇଛନ୍ତି । ତିନି ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ସୂଚନାଯୋଗ୍ୟ ଯେ ଏହି ବିଲ ପୂର୍ବରୁ ନଭେମ୍ବର ୨୭, ୨୦୧୯ରେ ଲୋକସଭାରେ ଅନୁମୋଦନ ଲାଭ କରିଥିଲା ।

ସମ୍ବନ୍ଧିତ ଖବର