୫୦୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା ବିମାନ, କ୍ୟାବିନ୍‌ରୁ ଉଠିଲା ଧୂଆଁ ! ଦିଲ୍ଲୀରେ ଜରୁରୀ ଅବତରଣ କଲା ‘ସ୍ପାଇସ୍‌ଜେଟ୍‌’ ବିମାନ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରୁ ଜବଲପୁର ଯାଉଥିବା ଗୋଟାଏ ‘ସ୍ପାଇସ୍‌ଜେଟ୍‌’ ବିମାନର କ୍ୟାବିନ୍‌ ଭିତରେ କର୍ମଚାରୀମାନେ ଧୂଆଁ ବାହାରୁଥିବା ଦେଖିବା ପରେ ତାହାକୁ ପୁଣି ଦିଲ୍ଲୀ ଫେରାଇ ଆଣାଯାଇ ନିରାପଦରେ ଜରୁରୀ ଅବତରଣ କରାଯାଇଛି।

ବିମାନଟି ୫୦୦୦ ଫୁଟ୍‌ ଉଚ୍ଚରେ ଉଡୁଥିବା ବେଳେ ବିମାନ ପରିଚାରକମାନେ କ୍ୟାବିନ୍‌ରେ ଧୂଆଁ ଉଠୁଥିବା ଦେଖିଥିଲେ। ଉକ୍ତ ବିମାନରୁ ସମସ୍ତ ଯାତ୍ରୀଙ୍କୁ ନିରାପଦରେ ଓହ୍ଲାଇ ଦିଆଯାଇଥିବା କଥା ଏୟାର୍‌ଲାଇନ୍‌ର ମୁଖପାତ୍ର କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ବିମାନଟି ୫୦୦୦ ଫୁଟ୍‌ ଉପରେ ଉଡୁଥିବା ସମୟରେ ପରିଚାରକ ଧୂଆଁ ଉଠୁଥିବା କଥା ଦେଖିବା ବେଳେ ‘ଲାଭାଟୋରି ସ୍ମୋକ୍‌ ଆଲାର୍ମ’ ବାଜିଉଠିଥିଲା। ତୁରନ୍ତ କ୍ୟାବିନ୍‌ ପରିଚାରକ କକ୍‌ପିଟ୍‌ ପରିଚାରକଙ୍କୁ ଏ ବିଷୟରେ ସୂଚନା ଦେଇଥିଲେ। ବିମାନଟି ଆହୁରି ଉପରକୁ ଉଠିବାରୁ କ୍ୟାବିନ୍‌ରେ ଧୂଆଁ ମଧ୍ୟ ଅଧିକ ହେଲା। ଫଳରେ ବିମାନଟିକୁ ଫେରାଇ ଆଣି ଜରୁରୀ ଅବତରଣ କରାଇବାକୁ ପାଇଲଟ୍‌ ନିଷ୍ପତ୍ତି ନେଇଥିଲେ।

Image Grabbed from Video

‘ଦି ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) ଘଟଣାର ତଦନ୍ତ ଆରମ୍ଭ କରିଛି।

ସ୍ମରଣଯୋଗ୍ୟ, ଜୁନ୍‌ ୧୯ ତାରିଖ ଦିନ ‘ସ୍ପାଇସ୍‌ଜେଟ୍‌’ର ଅନ୍ୟ ଏକ ବିମାନ ଉଡ଼ାଣ ଆରମ୍ଭ କରିବା ସମୟରେ ଗୋଟାଏ ପକ୍ଷୀ ସହିତ ଧକ୍କା ଖାଇବାରୁ ତା’ର ବାମ ଇଞ୍ଜିନ୍‌ଟି ନଷ୍ଟ ହୋଇଯାଇଥିଲା। ସେଥିରେ ୧୮୫ଜଣ ଯାତ୍ରୀ, ୪ଜଣ ପରିଚାରକ ଏବଂ ୨ଜଣ ପାଇଲଟ୍‌ ଥିଲେ। ସେତେବେଳକୁ ବିମାନଟି ୨୦୦୦ ଫୁଟ୍‌ ଉପରକୁ ଚାଲିଯାଇଥିଲା।

ସମ୍ବନ୍ଧିତ ଖବର