ନୂଆଦିଲ୍ଲୀ: ରନ୍ୱେର ସାଧାରଣ ଅବତରଣ ଅଞ୍ଚଳର ପ୍ରାୟ ୧୦୦୦ ମିଟର୍ ପୂର୍ବରୁ ଏକ ସ୍ପାଇସ୍ଜେଟ୍ ବୋଇଙ୍ଗ୍ ୭୩୭-୮୦୦ ଜେଟ୍ଲାଇନର୍ ଓହ୍ଲାଇ ପଡ଼ିବାରୁ ରନ୍ୱେର ତିନୋଟି ‘ଥ୍ରେସ୍ହୋଲ୍ଡ୍’ ଲାଇଟ୍ ନଷ୍ଟ ହୋଇଯାଇଛି। ବଡ଼ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଜେଟ୍ଲାଇନର୍ (ଏସ୍ଜି-୯୬୦) ବେଙ୍ଗାଲୁରୁ ଏବଂ ଗୌହାଟି ମଧ୍ୟରେ ଚଳାଚଳ କରେ। ଘଟଣାଟି ଶୁକ୍ରବାର ଦିନ ଘଟିଥିବା ଜଣାପଡ଼ିଛି।
ଦୁଇଜଣ ପାଇଲଟ୍ ଏବଂ ଚାରିଜଣ କ୍ୟାବିନ୍ କ୍ରୁ’ଙ୍କ ସମେତ ଏହି ବିମାନରେ ସମୁଦାୟ ୧୫୫ଜଣ ବ୍ୟକ୍ତି ଥିଲେ। ଏହି ବିମାନରେ ଥିବା ସମସ୍ତ ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ। ବିମାନଟିକୁ ନିରାପଦରେ ‘ପାର୍କିଙ୍ଗ୍ ବେ’କୁ ନେଇ ଯାଞ୍ଚ କରିବା ପରେ ମୁଖ୍ୟ ‘ଲ୍ୟାଣ୍ଡିଙ୍ଗ୍ ଗିଅର୍’ର ଗୋଟିଏ ଟାୟାର୍ରେ କଟା ଦାଗ ସବୁ ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2020/12/spicejet.jpg)
‘ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍’ର (ଡିଜିସିଏ) ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଅବତରଣ ପର୍ଯ୍ୟନ୍ତ ବିମାନଟି ସ୍ବାଭାବିକ ଥିଲା ଏବଂ ୨ ନମ୍ବର ରନ୍ୱେରେ ଅବତରଣ କରିବାକୁ ତାକୁ ଅନୁମତି ମିଳିଥିଲା। ପାଇଲଟ୍ଙ୍କ କହିବା ଅନୁସାରେ, ଆକାଶର ତଳ ଭାଗରେ ବାଦଲ ଥିବାରୁ ରନ୍ୱେରେ ନ ଓହ୍ଲାଇ ବିମାନଟି ରନ୍ୱେର ପ୍ରବେଶ ପଥରେ ‘ହାର୍ଡ ଲ୍ୟାଣ୍ଡିଙ୍ଗ୍’ କରିଥିଲା। ବାଦଲ ଯୋଗୁଁ ରନ୍ୱେ ଠାରୁ ବିମାନ କେତେ ଉଚ୍ଚରେ ଅଛି ତାହା ହଠାତ୍ ଅନୁମାନ କରି ହୋଇ ନ ଥିଲା।
ଘଟଣା ସମୟରେ ସହ-ପାଇଲଟ୍ ଏହି ବିମାନଟିକୁ ଚଳାଉଥିଲେ। ‘ଡିଜିସିଏ’ ଏହି ଘଟଣାର ତଦନ୍ତ ଶେଷ କରିବା ପର୍ଯ୍ୟନ୍ତ ଉଭୟ ପାଇଲଟ୍ଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।
ଏ ସଂକ୍ରାନ୍ତରେ ‘ସ୍ପାଇସ୍ଜେଟ୍’ ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦେଇନାହିଁ।