ନୂଆଦିଲ୍ଲୀ : କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଗତ ସେପ୍ଟେମ୍ବରରେ ଘଟିଥିବା ଏକ ସମ୍ବେଦନଶୀଳ ଘଟଣା ସାମନାକୁ ଆସିଛି । ସେପ୍ଟେମ୍ବର ୨୩ରେ ଆଫଗାନିସ୍ତାନ ଯାଉଥିବା ସ୍ପାଇସ ଜେଟ୍ର ଏକ ବିମାନ ପାକିସ୍ତାନର ବାୟୁସୀମା ମଧ୍ୟରେ ଯାଉଥିବା ବେଳେ ପାକିସ୍ତାନୀ ବାୟୁସେନାର ଏଫ-୧୬ ଲଢୁଆ ବିମାନଗୁଡ଼ିକ ଏହାକୁ ଘେରିଯିବା ସହ ପରିଚୟ ମାଗିଥିଲେ । ଏହାର ଜବାବରେ ସ୍ପାଇସ ଜେଟ ବିମାନ ପକ୍ଷରୁ କୁହାଯାଇଥିଲା ଯେ ଏହା ଏକ ଯାତ୍ରୀବାହୀ ବିମାନ ଓ ଏହା ୧୨୦ ଯାତ୍ରୀଙ୍କୁ ନେଇ ଆଫଗାନିସ୍ତାନ ଯାଉଛି । ଏହା ପରେ ପାକିସ୍ତାନୀ ଏଫ-୧୬ ବିମାନଗୁଡିକ ଯାତ୍ରୀବାହୀ ବିମାନର ଆଉ ଟିକିଏ ପାଖକୁ ଆସି ବିମାନକୁ ଦେଖିବା ସହ କମ ଉଚ୍ଚତାରେ ଉଡିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଯାତ୍ରୀବାହୀ ବିମାନଟି ଆଫଗାନ ବାୟୁସୀମାରେ ପ୍ରବେଶ କରିବା ପରେ ଏଫ-୧୬ଗୁଡ଼ିକ ଫେରିଯାଇଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଫେବ୍ରୁଆରି ୨୬ରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଏୟାରଷ୍ଟ୍ରାଇକ କରିବା ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ନିଜର ବାୟୁସୀମାକୁ ବନ୍ଦ କରିଥିଲା । ତେବେ ଜୁଲାଇରେ ଏହାକୁ ସାମାନ୍ୟ ଖୋଲିଥିଲା । କିନ୍ତୁ ଅଗଷ୍ଟ ୫ରେ ଭାରତ କଶ୍ମୀରରୁ ଧାରା ୩୭୦ ଉଠାଇବା ପରେ ଭାରତୀୟ ବିମାନ ପ୍ରବେଶ ଉପରେ ପୁଣି କଟକଣା ଲଗାଇଥିଲା ।