ଆଇସିୟୁରେ ଭର୍ତ୍ତି ହେଲେ ୨ ସ୍ପାଇସଜେଟ୍ ଯାତ୍ରୀ, ଘଟଣାର ତଦନ୍ତ କରିବ ଡିଜିସିଏ

କୋଲକାତା: ରବିବାର ଦିନ ପଶ୍ଚିମବଙ୍ଗର ଦୁର୍ଗାପୁରରେ ଥିବା କାଜି ନଜ୍‌ରୁଲ୍‌ ଇସ୍‌ଲାମ୍‌ ବିମାନ ବନ୍ଦରରେ ସ୍ପାଇସ୍‌ଜେଟ୍‌ର ଗୋଟାଏ ବିମାନ ଅବତରଣ କରୁଥିବା ବେଳେ କାଳବୈଶାଖି କବଳରେ ପଡ଼ି ଦୋହଲି ଯିବାରୁ କ୍ୟାବିନ୍‌ରୁ ଲଗେଜ୍‌ ଓ ବ୍ୟାଗ୍‌ ଖସି ପଡ଼ିବାରୁ ଅନ୍ୟୂନ ୪୦ଜଣ ଯାତ୍ରୀ ଆହତ ହୋଇଥିଲେ। ୪୦ଜଣଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହୋଇପଡ଼ିଥିବା କଥା କୁହାଯାଉଥିବା ବେଳେ ଏବେ ୨ଜଣଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ଘଟଣାର ତଦନ୍ତ କରିବ।

ସାମାନ୍ୟ ଆହତ ହୋଇଥିବା ବାକି ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ତେବେ ବିମାନଟି କିଭଳି କାଳବୈଶାଖି କବଳରେ ପଡ଼ିଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପାଗ ଅତ୍ୟନ୍ତ ଖରାପ ହୋଇପଡ଼ିବାରୁ ଆକାଶରେ ଥିବା ଅବସ୍ଥାରେ ବିମାନଟି ପବନରେ ଅସ୍ଥିର ହୋଇ ଦୋହଲି ଉଠିଥିଲା। ଦୁର୍ଗାପୁରସ୍ଥିତ ଅଣ୍ଡାଲ୍‌ ବିମାନ ବନ୍ଦରରେ ଅବତରଣ କରିବାକୁ ଯାଉଥିବା ବେଳେ ବତାସ ବହିବାରୁ ବିମାନଟି ଭାରସାମ୍ୟ ହରାଇ ଖୁବ୍‌ ଯୋରରେ ଦୋହଲି ଉଠିଥିଲା। ଫଳତଃ ବିମାନ ଭିତରେ ଯାତ୍ରୀମାନଙ୍କ ମୁଣ୍ଡ ଉପରେ ଥିବା କ୍ୟାବିନ୍‌ରୁ ବ୍ୟାଗ୍‌ ସବୁ ଖସିପଡ଼ିଥିଲା। ଏହି କାରଣରୁ ଯାତ୍ରୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି।

ଘଟଣା ସଂକ୍ରାନ୍ତରେ ସୁନିଶ୍ଚିତ କରି ‘ସ୍ପାଇସ୍‌ଜେଟ୍‌’ ଦେଇଥିବା ବିବୃତିରେ କହିଥିଲା, ମୁମ୍ବାଇରୁ ଦୁର୍ଗାପୁର ଅଭିମୁଖେ ଯାଉଥିବା ‘ଏସ୍‌ଜି-୯୪୫’ ବୋଇଙ୍ଗ୍ ବି୭୩୭ ବିମାନଟି ଅବତରଣ କରିବା ବେଳେ ବତାସ ପ୍ରଭାବରେ ଦୋହଲି ଯିବାରୁ କେତେକ ଯାତ୍ରୀ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର