ସ୍ପାଇସ୍ ଜେଟ ବିମାନରେ ନିଆଁ ଲାଗିବା ପରେ ପାଇଲଟଙ୍କ ଜରୁରୀ ବାର୍ତ୍ତା କ’ଣ ଥିଲା ?

ନୂଆଦିଲ୍ଲୀ : ସ୍ପାଇସ ଜେଟ ବିମାନ ଆଜି ନିଆଁ ଲାଗିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ତେବେ ବିମାନରେ ବସିଥିବା ୧୮୫ ଜଣ ଯାତ୍ରୀଙ୍କୁ ନିରାପଦରେ ଅବତରଣ କରାଇଥିବାରୁ ବିମାନର ପାଇଲଟଙ୍କୁ ସମସ୍ତେ ପ୍ରସଂଶା କରୁଛନ୍ତି । ତେବେ ବିମାନରେ ନିଆଁ ଲାଗିବା ପରେ ପାଇଲଟଙ୍କ ଜରୁରୀ ବାର୍ତ୍ତା କଣ ଥିଲା ? କିପରି ସେ ବିମାନକୁ ନିରାପଦରେ ଓହ୍ଲାଇବାରେ ସଫଳ ହୋଇଥିଲେ ?

ଆଜିର ଘଟଣା ସଂପର୍କରେ ଗଣମାଧ୍ୟମକୁ ସବିଶେଷ ବିବରଣୀ ଦେଇଛନ୍ତି ସ୍ପାଇସ ଜେଟର ଫ୍ଲାଇଟ ଅପରେସନ୍ସ ମୁଖ୍ୟ ଗୁରୁଚରଣ ଅରୋରା । ସେ କହିଛନ୍ତି ଯେ ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ବିମାନରେ କଣ ଗୋଟାଏ ମାଡ଼ ହୋଇଯାଇଥିଲା । ଏହା ଏକ ପକ୍ଷୀ ହୋଇଥାଇପାରେ ବୋଲି ପାଇଲଟ ମନେ କରିଥିଲେ । ତେବେ ତାହାପରେ ବିମାନରେ ସବୁକିଛି ଠିକଠାକ ଚାଲିଥିଲା । କିନ୍ତୁ ଏୟାର ଟ୍ରାଫିକ କଣ୍ଟ୍ରୋଲର ଓ ଗ୍ରାଉଣ୍ଡରେ ଥିବା କିଛି ଲୋକ ବିମାନର ଏକ ଇଂଜିନରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ଏସଂପର୍କରେ ତୁରନ୍ତ ପାଇଲଟଙ୍କୁ ଜଣାଇ ଦିଆଯାଇଥିଲା । ଏହା ଶୁଣିବା ପରେ ପାଇଲଟଙ୍କ ପାଟିରୁ ଦୁଇଟ ଶବ୍ଦ ବାହାରି ଥିଲା- ‘ପାନ୍ ପାନ୍’ ।

ଅନ୍ତର୍ଜାତୀୟ ରେଡିଓ ଟେଲିଫୋନି ଭାଷାରେ ତାହା ଏକ ଜରୁରୀ ସୂଚନା ଥିଲା । ଏହାର ଅର୍ଥ ହେଉଛି ଏକ ଜରୁରୀ ପରିସ୍ଥିତି ସୃଷ୍ଟି ହୋଇଯାଇଛି । କିନ୍ତୁ ବର୍ତ୍ତମାନ ପାଇଁ ସ୍ଥିତି ଭଲ ଅଛି ।

ଏହା ପରେ ପାଇଲଟ ଏକ ଏସଓପି ଅନୁସାରେ କାମ କରିବା ଆରମ୍ଭ କରିଦେଲେ । ପ୍ରଥମ ସେ ନିଆଁ ଲାଗିଥବା ୧ନମ୍ବର ଇଂଜିନକୁ ବନ୍ଦ କରିଦେଲେ । ବିମାନର ୨ୟ ଇଂଜିନ ମାଧ୍ୟମରେ ସେ ବିମାନକୁ ପାଟନା ଏୟାରପୋର୍ଟରେ ନିରାପଦରେ ଅବତରଣ କରିଥିଲେ ।

ଆକାଶରେ ଉଡୁଥିବା ବେଳେ ବିମାନର ଗୋଟିଏ ଇଂଜିନ ବନ୍ଦ ହୋଇଗଲେ ଅନ୍ୟ ଇଂଜିନକୁ ବ୍ୟବହାର କରି ବିମାନଟି ୩ ଘଣ୍ଟା ପର୍ଯ୍ୟନ୍ତ ଚାଲିପାରିବ । କିନ୍ତୁ ସାଧାରଣତଃ ପ୍ରଥମ ଘଣ୍ଟା ମଧ୍ୟରେ ହିଁ ନିକଟତମ ଏୟାରପୋର୍ଟରେ ଓହ୍ଲାଇବାକୁ କୁହାଯାଇଥାଏ ।

 

ସମ୍ବନ୍ଧିତ ଖବର