ସ୍ପାଇସଜେଟର ଅବହେଳା: ବିମାନ ଅବତରଣ ପରେ ବସ୍ ନଆସିବାରୁ ଚାଲି ଚାଲି ଟର୍ମିନାଲରେ ପହଞ୍ଚିଲେ ଯାତ୍ରୀ !

ନୂଆଦିଲ୍ଲୀ: ଦିଲ୍ଲୀ ବିମାନବନ୍ଦରରେ ସ୍ପାଇସଜେଟ ଏୟାରଲାଇନ୍ସର ଅବହେଳାର ଚିତ୍ର ସାମ୍ନାକୁ ଆସିଛି। ପିଟିଆଇ ଅନୁଯାୟୀ, ବିମାନ ଅବତରଣ ପରେ ଟର୍ମିନାଲରେ ପହଞ୍ଚିବା ପାଇଁ ସ୍ପାଇସଜେଟର ବସ୍ ନଆସିବାରୁ ଯାତ୍ରୀମାନେ ଚାଲି ଚାଲି ଟର୍ମିନାଲରେ ପହଞ୍ଚିଥିବା ଜଣାପଡ଼ିଛି। ବିମାନ ଅବତରଣ ପରେ ଯାତ୍ରୀମାନଙ୍କୁ ଟର୍ମିନାଲ ପର୍ଯ୍ୟନ୍ତ ନେବା ପାଇଁ ବସର ବ୍ୟବସ୍ଥା କରାଯାଇଥିବା ବେଳେ ଅବତରଣର ୪୫ମିନିଟ ଅପେକ୍ଷା କରିବା ପରେ ମଧ୍ୟ ସ୍ପାଇସଜେଟର ବସ ଯାତ୍ରୀଙ୍କୁ ନେବା ପାଇଁ ଆସିନଥିଲା। ଏହା ପରେ ବିରକ୍ତ ହୋଇ ଯାତ୍ରୀମାନେ ଚାଲି ଚାଲି ଆସି ଟର୍ମିନାଲରେ ପହଞ୍ଚିଥିଲେ। ଏଖବର ସାମ୍ନାକୁ ଆସିବା ପ‌ରେ ଏବେ ଡିଜିସିଏ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏଭଳି ଆରୋପ ମଧ୍ୟରେ ସ୍ପାଇସଜେଟ କହିଛି ଯେ, ବସ୍ ଆସିବା ପାଇଁ ଟିକେ ବିଳମ୍ବ ହୋଇଥିଲା। କିନ୍ତୁୁ ପରେ ବସ୍ ଆସିବାରୁ ଯାତ୍ରୀମାନଙ୍କୁ ବସରେ ବସାଇ ଟର୍ମିନାଲ ପର୍ଯ୍ୟନ୍ତ ଅଣାଯାଇଥିଲେ। କିଛି ଚାଲି ଚାଲି ଆସିଥିବା ଯାତ୍ରୀଙ୍କୁ ମଧ୍ୟ ବସରେ ବସାଇ ଟର୍ମିନାଲ ପର୍ଯ୍ୟନ୍ତ ଅଣାଯାଇଥିଲେ ବୋଲି କହିଛି ସ୍ପାଇସଜେଟ।

ଏୟାରଲାଇନ୍ସ ଦ୍ବ‌ାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଆମ କର୍ମଚାରୀମାନେ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ କିଛି ଯାତ୍ରୀ ଟର୍ମିନାଲ୍ ଆଡକୁ ଚାଲିବା ଆରମ୍ଭ କରିଥିଲେ। ବସ୍ ପହଞ୍ଚିବା ଭିତରେ ସେ ଅଳ୍ପ କିଛି ମିଟର ଚାଲି ଚାଲି ଆଗକୁ ଯାଇଥିବା ବେଳେ ବସ୍ ପହଞ୍ଚିବା ମାତ୍ରେ ଚାଲୁଥିବା ଯାତ୍ରୀଙ୍କ ସମେତ ଅନ୍ୟ ସମସ୍ତ ଯାତ୍ରୀଙ୍କୁ ବସରେ ବସାଇ ଟର୍ମିନାଲ୍ ବିଲଡିଂକୁ ନିଆଯାଇଥିଲା। ଆମେ କୌଣସି ଯାତ୍ରୀଙ୍କୁ ଦିଲ୍ଲୀ ବିମାନବନ୍ଦରର ଟାର୍ମାକ ଅଞ୍ଚଳରେ ଚାଲିବାକୁ ଦେଇ ନାହୁଁ କାରଣ ଏଠାରେ ଚାଲିବା ବିପଜ୍ଜନକ ହୋଇପାରେ। ଟାର୍ମାକରେ ଯାନବାହନ ଚଳାଚଳ ପାଇଁ ଏକ ପୃଥକ ପାସ୍ କରାଯାଇଛି, ତେଣୁ ଆମେ ଯାତ୍ରୀଙ୍କୁ ବସ୍‌ରେ ବସାଇ ଟର୍ମିନାଲରେ ଛାଡ଼ିଥିଲୁ।

ସମ୍ବନ୍ଧିତ ଖବର