ବେରୋଜଗାରୀ ଓ ଭୋକର ଜ୍ବାଳା ନେଲା ଉଗ୍ରରୂପ : ସୁରତର ଡାଇମଣ୍ଡ୍‌ ନଗରରେ ସୂତାକଳ ଶ୍ରମିକଙ୍କ ଲଙ୍କାକାଣ୍ଡ, ସଂକଟରେ ହଜାର ହଜାର ଓଡ଼ିଆ

ବ୍ରହ୍ମପୁର : ଲକଡାଉନ୍ ହେତୁ ଦେଖାଦେଇଥିବା ବେରୋଜଗାରୀ ଓ ଭୋକର ଜ୍ବାଳା ଗତକାଲି ରାତିରେ ଉଗ୍ର ରୂପ ନେଇଛି। ଗୁଜରାଟର ସୁରତ୍‌ର ଡାଇମଣ୍ଡନଗର ଅଞ୍ଚଳରେ ଲକ୍‌ଡାଉନକୁ ଖାତିର ନକରି ସୂତାକଳରେ କାମ କରୁଥିବା ଓଡ଼ିଆ ଶ୍ରମିକ ରାଜରାସ୍ତାକୁ ଓହ୍ଲାଇ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ‌ବ୍ୟାପକ ପୋଡ଼ାଜଳା କରିଛନ୍ତି। ରାସ୍ତାକଡ଼ରେ ରହିଥିବା ଉଠାଦୋକାନ ଗୁଡ଼ିକୁ ପୋଡ଼ାଜଳା କରିଛନ୍ତି। ସୁରତ ଶ୍ରମିକଙ୍କ ଅସନ୍ତୋଷ ଉଗ୍ର ରୂପ ନେଇଥିବା ବେଳେ ଓଡ଼ିଶା ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ, ଗୁଜରାଟ ରାଜ୍ୟ ସୁରତ୍‌ ଠାରେ ଥିବା ଶତାଧିକ ସୂତାକଳରେ ଓଡ଼ିଶାର ୪.୫ଲକ୍ଷ ଯୁବକ କାମ କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁଁ ସେମାନେ ମଧ୍ୟ ଜୀବିକା ହରାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ସୁରତ ସୁରତ ସହର ଠାରୁ ୧୬କିମି ଦୂର ଡାଇମଣ୍ଡ୍‌ନଗରରେ ଥିବା ଶତାଧିକ ସୂତାକଳରେ କାମ କରୁଥିବା ପ୍ରାୟ ୪୦ହଜାର ଶ୍ରମିକ ସେହି ଅଞ୍ଚଳରେ ଭଡ଼ା ଘରେ ଓ ବିଭିନ୍ନ ମେସ୍‌ରେ ରହୁଛନ୍ତି। ସେଠାରେ  ୩୧ଟି  ଛୋଟ ବଡ଼ ମେସ୍ ରହିଛି। ଉକ୍ତ ମେସ୍‌ ଗୁଡ଼ିକରେ ପ୍ରାୟ ୧୦ହଜାର ଶ୍ରମିକ ରହୁଛନ୍ତି। ସମଗ୍ର ଦେଶରେ ଗତ ୨୨ତାରିଖରୁ ଲକ୍‌ଡାଉନ୍‌ ଘୋଷଣା ଠାରୁ ସୂତାକଳ ଗୁଡ଼ିକ ବନ୍ଦ ହୋଇଯାଇଛି। ଶ୍ରମିକମାନଙ୍କ ସମସ୍ତ ମଜୁରି ଦେବା ଲାଗି ଗୁଜରାଟ ସରକାର ସୂତାକଳ ମାଲିକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ କମ୍ପାନି ଏହାର ଉଲ୍ଲଂଘନ କରିବେ ୧ ବର୍ଷ ଜେଲ୍‌ ଦଣ୍ଡ ମିଳିବ ବୋଲି ନିର୍ଦ୍ଦେଶ ‌ଦେଇଛନ୍ତି। ଏହା ସତ୍ତ୍ବେ କିଛି କମ୍ପାନି ଶ୍ରମିକଙ୍କୁ ପୂରା ମଜୁରି ଦେଇଥିବା ବେଳେ କିଛି ଅଧା ମଜୁରି ଦେଇଛନ୍ତି। କାମଧନ୍ଦା ହରାଇଥିବା ଶ୍ରମିକମାନଙ୍କ ସଞ୍ଚିତ ଅର୍ଥ ବି ସରିବାରେ ଲାଗିଛି। ବେରୋଜଗାରୀ ଓ ଅର୍ଥାଭାବ ସୂତାକଳ ଶ୍ରମିକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାର ପ୍ରତିବାଦରେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇ ପୋଡ଼ାଜଳା କରିଛନ୍ତି।

ଗୁଜରାଟର କେତେକ ସ୍ବେଚ୍ଛାସେବୀ ସଂସ୍ଥା ପକ୍ଷରୁ ଶ୍ରମିକମାନଙ୍କୁ ବିଭିନ୍ନ ଅଞ୍ଚଳରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।  ଅନ୍ୟପକ୍ଷରେ ସ୍ବେଚ୍ଛାସେବୀ ସଂସ୍ଥାମାନେ ପ୍ରଦାନ କରୁଥିବା ରନ୍ଧାଖାଦ୍ୟ ବୋଝେଇ ଗାଡ଼ି ପୁଲିସର କଟକଣା ଯୋଗୁଁ ଅଧିକାଂଶ ସମୟରେ ଡାଇମଣ୍ଡନଗର ଅଞ୍ଚଳରେ ପହଞ୍ଚି ପାରୁନାହିଁ।

ସମ୍ବନ୍ଧିତ ଖବର